ସରକାରୀ ବାସଭବନ ଖାଲି କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଲୋକସଭା ସଦସ୍ୟ ପଦ ହରାଇବା ପରେ ରାହୁଲଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ସଚିବାଳୟ ପକ୍ଷରୁ ନୋଟିସ ଦିଆଯାଇଥିଲା। ନୋଟିସ ଆଧାରରେ ରାହୁଲ ତାଙ୍କ ୧୨ ତୋଗଲୋକ ଲେନସ୍ଥିତ ବାସଭବନକୁ ଖାଲି କରି ଅନ୍ୟତ୍ର ଅବସ୍ଥାନ କରିଛନ୍ତି। ୨୦୦୫ରୁ ରାହୁଲ ଏହି ବାସଭବନରେ ରହିଆସୁଥିଲେ।
ଅନ୍ୟପଟେ ରାହୁଲ ସୋମବାର ତାଙ୍କ ବିରୋଧରେ ହୋଇଥିବା ଦୁଇବର୍ଷ କାରା ଦଣ୍ଡାଦେଶ ବିରୋଧରେ ଆବେଦନ କରିବେ। ରାହୁଲ ବ୍ୟକ୍ତିଗତ ଭାବେ ସୁରତର ଅଦାଲତରେ ଉପସ୍ଥିତ ରହି ଦଣ୍ଡାଦେଶ ବିରୋଧରେ ନିଜର ଆବେଦନ କରିବେ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ ହୋଇଛି।
ଗତ ମାର୍ଚ୍ଚ ୨୩ରେ ରାହୁଲ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇବର୍ଷ କାରା ଦଣ୍ଡାଦେଶ ପାଇଥିଲେ। କାରା ଦଣ୍ଡାଦେଶକୁ ନେଇ ତାଙ୍କର ଲୋକସଭା ସଦସ୍ୟ ପଦ ରଦ୍ଦ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ସଭାକୁ ସମ୍ବୋଧନ ବେଳେ ମୋଦୀ ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ଗୁଜରାଟରେ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ସୁରତର ଏକ ଅଦାଲତରେ ମାନହାନି ମାମଲା ରୁଜୁ କରିଥିଲେ। ମାମଲା ଆଧାରରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରାଯାଇଥିଲା।
