ଅସୁସ୍ଥତା ଯୋଗୁଁ ବାଙ୍ଗାଲୋର ଫେରିଲେ ଦ୍ରାବିଡ଼
ନୂଆଦିଲ୍ଲୀ : ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଦିନିକିଆ ଆସନ୍ତା ରବିବାର ଥିରୁବନନ୍ତପୁରମରେ ଖେଳାଯିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଭାରତୀୟ ଦଳ ସହ ଥିରୁବନନ୍ତପୁରମ୍ ଯାଇପାରି ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅସୁସ୍ଥତା ଯୋଗୁଁ ଦ୍ରାବିଡ଼ କୋଲକାତରୁ ସିଧା ବାଙ୍ଗାଲୋର ଫେରିଛନ୍ତି। ଗତକାଲି ଦ୍ବିତୀୟ ଦିନିକିଆ ପରେ ରକ୍ତଚାପ ସମସ୍ୟା ଯୋଗୁଁ ସେ ଅସହଜ ଅନୁଭବ କରିଥିଲେ । ତେଣୁ ସେ ଶୁକ୍ରବାର ସକାଳେ ଡ଼ାକ୍ତରଙ୍କ ସହ ପରାମର୍ଶ ପାଇଁ ଏକ ଫ୍ଲାଇଟରେ ବେଙ୍ଗାଲୁରୁ ଫେରିଥିବା ଦଳୀୟ ସୂତ୍ରରୁ ପ୍ରକାଶ । ତେବେ ତୃତୀୟ ଦିନିକିଆ ପୂର୍ବରୁ ସେ ଶନିବାର ଭାରତୀୟ ଦଳ ସହ ଯୋଗଦେବେ ।
ସୂଚନା ଯେ, ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ୬୭ ରନରେ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଦ୍ୱିତୀୟ ଦିନିକିଆରେ ୪ ୱିକେଟରେ ଜିତି ସିରିଜ୍ କବଜା କରିଥିଲା । ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ରବିବାର ଥିରୁବନନ୍ତପୁରମରେ ଖେଳାଯିବ ।
