ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ! ଜଗନ୍ନାଥଙ୍କ ଅପୂର୍ବ ଦୃଶ୍ୟ ଦର୍ଶନ କରିବେ ତ୍ରିମୂର୍ତ୍ତୀ ସମେତ ସମସ୍ତ ଦେବାଦେବୀ
ପୁରୀ : ଆଜି ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପାଳିତ ହେବ ପୁଷ୍ୟାଭିଷେକ ନୀତି । ତିଥି ଅନୁସାରେ ଆଜି ହେଉଛି ପୌଷ ପୂର୍ଣ୍ଣିମା, ତାହ ସହିତ ପୁଷ୍ୟା ନକ୍ଷତ୍ର । ବିଶ୍ୱାସ ରହିଛି ଯେ, ଆଜିର ଦିନରେ ଜଗତର ନାଥ ଜଗନ୍ନାଥଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ସାରା ସଂସାରର ରାଜା ଭାବେ ତାଙ୍କୁ ଆଜି ଅଭିଷେକ କରାଯାଇଥିବାର କଥା ରହିଛି । ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ତ୍ରିମୂର୍ତ୍ତି, ସମସ୍ତ ଦେବାଦେବୀ, ସାଧୁ ସନ୍ଥ ଆସନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି ।
ପ୍ରଭୁ ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ମହୋଦଧି ନିକଟରେ ସମବେତ ହୁଅନ୍ତି ହଜାର ହଜାର ଭକ୍ତ । ତେଣୁ ଆଜିର ଦିନରେ ସମୁଦ୍ର ଆଳତୀ ମଧ୍ୟ କରାଯାଏ । କୁହାଯାଏ ବର୍ଷକର ଏହି ଗୋଟିଏ ଦିନରେ ତ୍ରିଭୁବନର ସମସ୍ତ ଦେବାଦେବୀଙ୍କୁ ଏକା ଥରେ ଗୋଟିଏ ସ୍ଥାନରେ ମହୋଦଧି କୂଳରେ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ସେପଟେ ଆଜି ଗଜପତି ମହାରାଜଙ୍କ ଶ୍ରୀନହରରେ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହେବ । ଗଜପତିଙ୍କ ପ୍ରତିନିଧି ରୂପେ ମୁଦିରସ୍ତ ସମସ୍ତ ନୀତିକାନ୍ତି କରିଥାନ୍ତି । ଜଣେ ନାବାଳକ ସେବାୟତଙ୍କୁ ମୁଦିରସ୍ତ ଭାବେ ଶାଢ଼ୀ ବନ୍ଧାଯିବ ।
