ଶ୍ରୀମନ୍ଦିରରେ ପୌଷ ପୂର୍ଣ୍ଣିମା ଓ ସୁନାବେଶ
ପୁୁରୀ : ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ଓ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ର ବନବାସରୁ ଫେରିବା ପରେ ସିଂହାସନ ଆରୋହଣ ପାଇଁ ଅଭିଷେକ କରାଯାଇଥିଲା । ଏହାକୁ ସ୍କୃତିରେ ରଖି ଏହି ନୀତି ପାଳିତ ହେଉଛି । ରତ୍ନସିଂହାସନ ଉପରେ ଶ୍ରୀଜୀଊଙ୍କ ରାଜାଧିରାଜ ବେଶ ଦର୍ଶନ କରିଛନ୍ତି ଭକ୍ତ । ଗତକାଲି ଚନ୍ଦନଲାଗି ନୀତି,ଜଳ ଓ ଘୃତ ଅଧିବାସ ହୋଇଥିଲା । ଆଜି ସକାଳଧୂପ ପରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ରତ୍ନସିଂହାସନ ତଳେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ଦ୍ୱିପହର ଧୂପ ସମୟରେ ପୂଜାପଣ୍ଡାମାନେ ରତ୍ନସିଂହାସନରେ ପୂଜାର୍ଚ୍ଚନା କରୁଥିବା ବେଳେ ଭିତରଛ ମହାପାତ୍ର ଲକ୍ଷ୍ମଣ ରୂପରେ ଛତ୍ର ଧରି ଦଣ୍ଡାୟମାନ ହୋଇଥିଲେ । ପାଳିଆ ଭଣ୍ଡାର ମେକାପ ହନୁମାନ ରୂପରେ ଆଣ୍ଠୁମାଡ଼ି ବସିବା ସହ ଛତ୍ର ମୂଳକୁ ଧରିଥିଲେ । ଷୋଡ଼ଶ ଉପଚାରରେ ଶ୍ରୀଜୀଊଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା । ରାଜନୀତି, ବନ୍ଦପନା ନୀତି ସମ୍ପନ୍ନ ହୋଇଥିଲା । ଦକ୍ଷିଣିଘରୁ ଶ୍ରୀରଘୁନାଥ ରତ୍ନସିଂହାସନକୁ ବିଜେ ହୋଇଥିଲେ । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ମହାଲକ୍ଷ୍ମୀ ମନ୍ଦିରକକୁ ବିଜେ କରିଥିଲେ । ସେଠାରେ ଭୋଗ,ନୈବେଦ୍ୟ ଓ ବନ୍ଦାପନା ବଢିବା ପରେ ଠାକୁର ବାହୁଡ଼ି ଥିଲେ । ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଆଜି ହଜାର ହଜାର ଶ୍ରଦ୍ଧାଳୁ ପ୍ରିତ ହୋଇଥିଲେ ।
