ଓୟୁଏଟିର ୩୯ତମ ସମାବର୍ତନ ଉତ୍ସବ ସାମଗ୍ରୀକ ବିକାଶ ପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷା ବ୍ୟବସ୍ଥା – ରାଜ୍ୟପାଳ
ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୩୯ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ବିଶ୍ୱବିଦ୍ୟାଳୟଗୁଡ଼ିକ ପୂର୍ଣ୍ଣାଙ୍ଗ ଶିକ୍ଷା ପଦ୍ଧତି ମାଧ୍ୟମରେ ବ୍ୟକ୍ତିର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଶିକ୍ଷା ପଦ୍ଧତି ବ୍ୟକ୍ତିର ଆଚରଣ ଏବଂ ଉଚ୍ଚାରଣରେ ଶୁଦ୍ଧତା ଆଣିବାରେ ସହାୟକ ହେବ ବୋଲି ସେ ମତ ଦେଇଥିଲେ । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସୋମବାର ଦିନ ବିଶ୍ୱବିଦ୍ୟାଳୟର ସ୍ୱାମୀନାଥନ୍ କକ୍ଷରେ ଏହାର ୩୯ତମ ସମାବର୍ତନ ଉତ୍ସବ ପାଳନ କରିଛି । ଏହି ଉତ୍ସବରେ ଭାରତର କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡଃ ହିଂମାଶୁ ପାଠକ ମୁଖ୍ୟ ଅତିଥି ଏବଂ ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବର ପ୍ରାରମ୍ଭରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଗବେଷଣା ଓ ସମ୍ପ୍ରସାରଣ ବ୍ୟବସ୍ଥାର ସଫଳତା ସମ୍ବନ୍ଧିତ ଏକ ବିଶେଷ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଜଣାଶୁଣା ପାଣିପାଗ ବିଜ୍ଞାନୀ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଜୈବିକ କୃଷି ଏବଂ ଜୈବ ବିବିଧତା ସଂରକ୍ଷଣରେ ପାରଦର୍ଶିତା ଲାଭ କରିଥିବା ସୁଶ୍ରୀ ସାବରମତୀଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା । ଏହି ସମାବର୍ତନ ଉତ୍ସବରେ ୮୨୧ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ୫୧୦ ଜଣଙ୍କୁ ସ୍ନାତକୋତ୍ତର ଏବଂ ୬୪ ଜଣଙ୍କୁ ପି.ଏଚ୍.ଡି. ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହା ସହିତ ବିଭିନ୍ନ ବିଭାଗ ଏବଂ ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ୧୧୩ ଟି ସ୍ୱର୍ଣ୍ଣ ପଦକ ଏବଂ ୬ ଟି ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ଉତ୍କର୍ଷତାକୁ ପ୍ରତିପାଦନ କରି ରିପୋର୍ଟ ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଉଳ ଏହି ଏକକ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ କଳିଙ୍ଗ ସୁଆଁ ୧୮ ସହିତ ୧୭୧ଟି ଉନ୍ନତ ବିହନ କିସମ ଓ ସଙ୍କର କିସମ ବିକଶିତ କରିଥିବା ବେଳେ ମାଣ୍ଡିଆ ଚୋପାଛଡ଼ା ଏବଂ ସଫାକରା ଯନ୍ତ୍ରର ପ୍ୟାଟେଣ୍ଟ ଲାଭ କରିଛି ଏବଂ କଳିଙ୍ଗ ପଲ୍ଲିଶ୍ରୀ ଭଳି ବିଲୁପ୍ତ ଏକ ମାଂସାଳ ରଙ୍ଗୀନ କୁକୁଡ଼ାକୁ ପୁନଃବିକଶିତ କରିଥିବା ଦର୍ଶାଇଥିଲେ । ଅନ୍ୟାନ୍ୟ ସଫଳତା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ପ୍ରୟାସରେ ମୟୂରଭଞ୍ଜ କାଇ ଚଟଣୀ, ଢେଙ୍କାନାଳ ମଗ୍ଜୀ ଏବଂ ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ ନିକଟ ଭବିଷ୍ୟତରେ ଜି.ଆଇ. ଟ୍ୟାଗ୍ ହାସଲ କରିବାର ଆଶା ଥିବା ସେ ସୂଚନା ଦେଇଥିଲେ । ଏହି ବିଶ୍ୱବିଦ୍ୟାଳୟ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ଶିକ୍ଷା ଓ ଗବେଷଣା ସଂସ୍ଥା ସହିତ ସମ୍ପର୍କ ସ୍ଥାପନ କରି ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ପାଇଁ ଆନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଗୁଡ଼ିକ ମାଧ୍ୟମରେ ନୂତନ ଜ୍ଞାନକୌଶଳ ଆହରଣ କରିବାର ସୁଯୋଗ ସୃଷ୍ଟି କରିଛନ୍ତି । ଏହି ସୁଯୋଗ୍ୟ ଛାତ୍ରଛାତ୍ରୀ ଉତ୍ସର୍ଗୀକୃତ, ଶୃଙ୍ଖଳିତ ଓ ଦୃଢ଼ ପ୍ରତିଜ୍ଞ ମନୋଭାବ ଏବଂ କାର୍ଯ୍ୟ ମାଧ୍ୟମରେ ସମାଜର ସେବା କରିବା ସହିତ ଦେଶର ଭବିଷ୍ୟତ ଗଢ଼ିବାରେ ଯୋଗଦାନ କରିବାକୁ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡଃ ହିଂମାଶୁ ପାଠକ ଆହ୍ୱାନ ଦେଇଥିଲେ । ବିଶ୍ୱବିଦ୍ୟାଳୟର ପରିଚାଳନା ପରିଷଦର ସଦସ୍ୟ ତଥା ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଡିଗ୍ରୀ ଏବଂ ମେଡାଲ ପାଉଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥାପିତ କରାଇଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସ୍ୱାମୀନାଥନ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପରିଚାଳନା ପରିଷଦର ସଦସ୍ୟ ବୃନ୍ଦ, ପୂର୍ବତନ କୁଳପତି ବୃନ୍ଦ, ଅଧ୍ୟକ୍ଷ ବୃନ୍ଦ, ଶିକ୍ଷା ପରିଷଦର ସଦସ୍ୟ ବୃନ୍ଦ, ଓଡ଼ିଶା ସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥାଗୁଡ଼ିକର ନିର୍ଦ୍ଦେଶକ ବୃନ୍ଦ, କୃତୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ଯୋଗଦାନ କରିଥିଲେ ।
