ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ : ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଜି ପୌଷ ଶୁକ୍ଳ ଷଷ୍ଠୀ ତିଥିରେ ଶୁଭମୂହୁର୍ତ୍ତରେ ହେବ ଶୁଭକାମ । ବୁଧବାର ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧.୨୦ ମିନିଟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ବୋଲି ଲଗ୍ନ ଧାର୍ଯ୍ୟ ହୋଇଛି । ଲୋକାର୍ପଣ ଫଳକର ଡୋରି ଫିଟାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍ଘାଟନ କରିବେ । ଏହାପରେ ଗଜପତି ଦେବେ ପୂର୍ଣ୍ଣାହୂତି । ବୁଧବାର ପୌଷ ଶୁକ୍ଳ ସପ୍ତମୀରେ ‘ପରିକ୍ରମା’ ଲୋକାର୍ପଣ ଉତ୍ସବର ସାକ୍ଷୀ ରହିବାକୁ ପୁରୀକୁ ଭକ୍ତଙ୍କ ଆଗମନ ବଢ଼ିଛି । ଯଜ୍ଞସ୍ଥଳ ମନ୍ତ୍ର ଧ୍ୱନିରେ କମ୍ପମାନ ହେଉଥିବା ବେଳେ ଶ୍ରୀମନ୍ଦିର ଚାରିଦ୍ୱାର ବେଦଧ୍ୱନୀରେ ହେଉଛି ତରଙ୍ଗାୟିତ । ଅଭିମନ୍ତ୍ରିତ ଜଳକୁ ପରିକ୍ରମା ମାର୍ଗ ଓ ଫଳକ ଉପରେ ସିଞ୍ଚନ କରାଯାଇଛି । ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ ସହ ହବନ ଅନୁଷ୍ଠିତ ହେବ । ଅପରାହ୍ନ ୧.୨୦ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଫଳକ ଉନ୍ମୋଚନ କରିବେ । ୧.୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ପୂର୍ଣ୍ଣାହୂତି ସହ ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଓ ପ୍ରଦକ୍ଷିଣ ପରେ ଦିନ ପ୍ରାୟ ୩ଟା ବେଳକୁ ସର୍ବସାଧାରଣଙ୍କ ନିମନ୍ତେ ସମସ୍ତ ରାସ୍ତା ଯାତାୟତ ନିମନ୍ତେ ଖୋଲି ଦିଆଯିବ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ରାଜ୍ୟ ତଥା ବାହାର ରାଜ୍ୟରୁ ଅତିଥିମାନେ ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବ । ବହୁ ଭିଭିଆଇପି ଓ ମାନ୍ୟଗଣ୍ୟ ବ୍ୟକ୍ତି ବି ଯୋଗ ଦେବେ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ବ୍ଲାଙ୍କେଡ୍ ସିକ୍ୟୁରିଟିରେ ଅଛନ୍ତି ପୁରା ପୁରୀ ସହର । ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ୩ଟି କେ୯ ଟିମ୍ ଓ ୪ ଟି ବୋମା ନିଷ୍କ୍ରିୟକାରୀ ଦଳ ବି ମୁତୟନ ଅଛନ୍ତି । ଟ୍ରାଫିକ ସୁପରିଚାଳନା,ଭକ୍ତଙ୍କ ସୁରକ୍ଷା ,ଭିଭିଆଇପିଙ୍କ ସୁରକ୍ଷା ,ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥାରେ ୧୦୦ ଜଣ ସୁପରଭାଇଜିଂ ଅଧିକାରୀ ,୨୫୦ ସବ ଇନ୍ସପେକ୍ଟର ଓ ଏଏସ୍ଆଇ ରହିଛନ୍ତି ।
