ରାଜ୍ୟସ୍ତରୀୟ ଉତ୍ସବରେ ଶିକ୍ଷୟିତ୍ରୀ ଓ ଛାତ୍ର ପୁରସ୍କୃତ
ଯାଜପୁର : ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଆନୁକୁଲ୍ୟରେ ଆୟୋଜିତ ଓ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ପରିବେଶ ଶିକ୍ଷା କେନ୍ଦ୍ର ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ ଶକ୍ତି ସଂଗ୍ରକ୍ଷଣ ପ୍ରତିଯୋଗିତା ୨୦୨୨-୨୩ରେ ସଫଳତା ଲାଭକରି ଯାଜପୁର ଜିଲ୍ଲାସ୍କୁଲର ଶିକ୍ଷୟିତ୍ରୀ ଓ ଛାତ୍ର ଭୁବନେଶ୍ୱରର ଲୋକସେବା ଭବନର ସଭାଗୃହରେ ଗତ କାଲି ତା ୧୪.୧୨.୨୦୨୨ରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ ହୋଇଛନ୍ତି । ଉକ୍ତ ବିଦ୍ୟାଳୟରେ ପରିଚାଳିତ ଏନରଜି କ୍ଲବର ଦାୟୀତ୍ୱରେ ଥିବା ଶିକ୍ଷୟିତ୍ରୀ କ୍ଷୀରୋଦମୟୀ ପତି କ୍ଲବର ସଫଳ କାହାଣୀ ରଚନା କରି ସଫଳତା ଲାଭ କରିଥିବା ବେଳେ ସପ୍ତମ ଶ୍ରେଣୀର ଛାତ୍ର ସୁବୋଧନାରାୟଣ ପଣ୍ଡା ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଗୁଣାତ୍ମକ ଚିତ୍ରାଙ୍କନ ପାଇଁ ଜାତୀୟ ଶକ୍ତି ସଂଗ୍ରକ୍ଷଣ ସପ୍ତାହର ଉଦ୍ଘାନୀ ଦିବସରେ ପୁରସ୍କାର ଓ ପ୍ରମାଣପତ୍ର ଲାଭ କରିଛନ୍ତି । ଏହି ଉତ୍ସବରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ମୁଖ୍ୟ ଅତିଥି, ସରକାରଙ୍କ ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ. ସୁରେଶ ଚନ୍ଦ୍ର ମହାରଣା, ପରିବେଶ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶ ଡଃ କେ. ମୁରୁଗେସନ୍ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଆଲୋକ କୁମାର ବନ୍ଧ ଏବଂ ସହକର୍ମୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
