ଆଇପିଏଲ-୨୦୨୧ : କୋଲକାତା ବିପକ୍ଷରେ ୫ ଉଇକେଟରେ ଜିତିଲା ପଞ୍ଜାବ
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଶୁକ୍ରବାର ଆଇପିଏଲ ୨୦୨୧ର ୪୫ ତମ ମ୍ୟାଚ କୋଲକାତା ନାଇଟରାଇଡର୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ କେକେଆର ବିରୋଧରେ ପଞ୍ଜାବ କିଙ୍ଗ୍ସର ରୋମାଞ୍ଚକର ବିଜୟ ହୋଇଛି । କେଏଲ ରାହୁଲ ଖେଳିଲେ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି । ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା କେଏଲ ରାହୁଲଙ୍କ ଅର୍ଦ୍ଧଶତକ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ଏକ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ପଞ୍ଜାବ କିଙ୍ଗ୍ସ। ଏହି ବିଜୟ ସହ ପଞ୍ଜାବ କିଙ୍ଗ୍ସର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହିଛି। ଅଧିନାୟକ କେଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ କେକେଆରକୁ ୫ ଓ୍ଵିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲୋକକାତା ନାଇଟ୍ ରାଇଡର୍ସ ଭେଙ୍କଟେଶ ଆୟରଙ୍କ ୬୭, ରାହୁଲ ତ୍ରିପାଠୀ ୩୪ ଓ ନୀତିଶ ରାଣାଙ୍କ ୩୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୫ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ୬୭ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ୧୯.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶାହାରୁଖ ଖାନ ୨୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ ପରେ ପଞ୍ଜାବ ୧୨ଟିରୁ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରିଛି। ଅନ୍ୟପଟେ କୋଲକାତା ସମାନ ମ୍ୟାଚ୍ରୁ ସପ୍ତମ ପରାଜୟ ଭୋଗିଛି। ପଞ୍ଜାବ ଓ କୋଲକାତା ସମାନ ୫ ମ୍ୟାଚ୍ ଜିତିଥିଲେ ହଁ ଉନ୍ନତ ରନ ରେଟ୍ ଆଧାରରେ କୋଲକାତା ଅଙ୍କ ତାଲିକାର ଚତୁର୍ଥରେ ରହିଛି।
ଏହି ମ୍ୟାଚରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କେକେଆରକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଖରାପ ଫର୍ମରେ ଥିବା ଶୁବମନ୍ ଗିଲ୍ ୭ ରନ୍ କରି ଅର୍ଶଦୀପ ସିଂହଙ୍କ ଶିକାର ହୋଇଥିଲା। ଆୟର୍ ଓ ରାହୁଲ ତ୍ରିପାଠୀ ଦ୍ୱିତୀୟ ୱିକେଟ୍ ପାଇଁ ୭୨ ରନର ଯୋଗଦାନ କରିଥିଲେ। ରାହୁଲ୍ ୩୪ (୨୬ ବଲ୍, ୩ ଚୌକା ଓ ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନୀତୀଣ ରାଣା ମଧ୍ୟ ପ୍ରତିପକ୍ଷ ବୋଲରଙ୍କୁ ଖୁବ୍ ଛେଛିଥିଲେ। ତେବେ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ଆୟର୍ ନିଜ ୱିକେଟ୍ ହରାଇ ବସିଥିଲେ। ଟିମର ସ୍କୋର ୧୨୦ ଥିବା ବେଳେ ଭେଙ୍କଟେଶଙ୍କୁ ରବି ବିଷ୍ଣୋଇ ଆଉଟ୍ କରିଥିଲେ। କ୍ୟାପଟେନ୍ ଇଅନ୍ ମୋର୍ଗାନ୍ କ୍ରମାଗତ ନିରାଶ କରିଛନ୍ତି। ସେ ମାତ୍ର ୨ ରନ୍ କରି ଆଉଟ୍ ହୋଇଛନ୍ତି। ନୀତୀଶ ଓ ଦିନେଶ କାର୍ତ୍ତିକଙ୍କ ଆଉଟ୍ ପରେ କେକେଆରର ରନ୍ ଗତି ସାମାନ୍ୟ ହ୍ରାସ ପାଇଥିଲା। ଯାହା ଫଳରେ କେକେଆର୍ ୧୬୫ ରନ୍ କରିବାକୁ ସକ୍ଷମ ହୋଇଛି। ପଞ୍ଜାବ କିଙ୍ଗସ୍ ପକ୍ଷରୁ ଅର୍ଶଦୀପ ସିଂହ ୩ଟି, ରବି ବିଷ୍ଣୋଇ ୨ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି।
୧୬୬ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗ୍ସକୁ ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୮.୫ ଓଭରରେ ୭୦ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ମୟଙ୍କ ଅଗ୍ରଓ୍ଵାଲ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲ୍ରୁ ୩ ଚୌକା ଓ ୩ ଛକା ସହ ୪୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ନିକୋଲାସ ପୁରନ(୧୨) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଏହା ପରେ ରାହୁଲ ଓ ମାର୍କରମ ତୃତୀୟ ଓ୍ଵିକେଟ୍ରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ମାର୍କରମ ୧୮ ରନ କରି ଆଉଟ୍ ହେବା ପରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଦୀପକ ହୁଡା(୩) ଆଉଟ୍ ହୋଇଥିବା ବେଳେ କ୍ରିଜରେ ଅନ୍ୟ ପାର୍ଶ୍ଵରେ କେଏଲ ରାହୁଲ ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ସେ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟର ନିକଟତର କରାଇଥିଲେ। ଲୋକେଶ ୫୫ ବଲରୁ ୪ ଚୌକା ଓ ୨ ଛକା ସହ ୬୭ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଶେଷରେ ଶାହାରୁଖ ଖାନ ୧୯.୩ ଓଭରରେ ବିଜୟ ସୂଚକ ଛକା ମାରି ଦଳକୁ ଜିତାଇଥିଲେ। ଶାହାରୁଖ ୯ ବଲ୍ରୁ ଦ୍ରୁତ ବ୍ୟାଟିଂ କରି ୧ ଚୌକା ଓ ୨ ଛକା ସହ ୨୨ ରନର ଉପଯୋଗୀ ଇନିଂସ ଖେଳିଥିଲେ।
