ପଞ୍ଜାବରେ ନୂଆ ଦର ଲାଗୁ : ପେଟ୍ରୋଲ ୧୦ ଟଙ୍କା ଏବଂ ଡିଜେଲ ୫ ଟଙ୍କା କମିଲା
ଚଣ୍ଡୀଗଡ଼ : ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ ହ୍ରାସ କରିଛନ୍ତି ଚନ୍ନି ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି କହିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଶସ୍ତା ହେବ, ଡିଜେଲ ଉପରେ ୫ ଟଙ୍କା ହ୍ରାସ କରାଯାଇଛି। ରବିବାର ମଧ୍ୟରାତ୍ରିରୁ ଏହି ନୂଆ ଦର ଲାଗୁ ହେବ । ପଞ୍ଜାବ ସରକାରଙ୍କ ଏହି ପଦକ୍ଷେପ ଆସନ୍ତା ବିଧାନସଭା ନିର୍ବାଚନ ସହ ଜଡିତ ଅଛି ବୋଲି କୁହାଯାଉଛି ।
ଏନେଇ ପଞ୍ଜାବ ମନ୍ତ୍ରୀ ମନପ୍ରୀତ ସିଂ ବାଦଲ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପରେ ରାଜ୍ୟ ସରକାର ବାର୍ଷିକ ୯୦୦ କୋଟି ଟଙ୍କା କ୍ଷତି ସହିବେ। ତୈଳ ଉପରେ ଆଦାୟ କରାଯାଉଥିବା ଏକ୍ସାଇଜ୍ ଡ୍ୟୁଟି କେନ୍ଦ୍ର ସରକାର ହ୍ରାସ କରାଯିବା ପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ। ଏହାପରେ ଭାଟ ହ୍ରାସ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସୂଚନା ଯେ, କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ମୋଦୀ ସରକାରଙ୍କ ପଦକ୍ଷେପ ପରେ ତୁରନ୍ତ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଭାଟ୍ ହ୍ରାସ କରି ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଥିଲେ । କିନ୍ତୁ ବିଜେପି ସରକାର ନଥିବା ଅଧିକାଂଶ ରାଜ୍ୟ ଭାଟ୍ ହ୍ରାସ କରିବାକୁ ମନା କରିଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କଠାରୁ ଅଧିକ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଦାବି କରିଥିଲେ। ରାଜସ୍ଥାନ ପରି କଂଗ୍ରେସ ଶାସିତ ରାଜ୍ୟମାନେ ଟିକସ ହ୍ରାସକୁ ମନା କରି ଦେଇଛନ୍ତି ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ରହିଛି।
