ପୂଜା ମଣ୍ଡପ ଜଗିବ ସିସିଟିଭି, ସାଦା ପୋଷାକରେ ରହିବେ ପୁଲିସ
ଭୁବନେଶ୍ୱର : ପାର୍ବଣ ଋତୁରେ ଅପରାଧ ବଢିବାର ସମ୍ଭାବନା ଥିବାରୁ କଡା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱର ଡିସିିପି ପ୍ରତୀକ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ ଦୁର୍ଗପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ପୂଜା କମିଟି ସହ ଆଲୋଚନା ହୋଇଛି । ଛିନତାଇ ରୋକିବା ପାଇଁ ଟିମ ଗଠନ ହୋଇଛି । ସମସ୍ତ ସ୍ଥାନରେ ସାଦା ପୋଷାକରେ ରହିବେ ପୁଲିସ । ଟ୍ରାଫିକ ସମସ୍ୟା ରୋକିବା ପାଇଁ ବ୍ୟାପକ ପ୍ରସ୍ତୁତି ରହିଛି । ମେଢ଼, ମେଲୋଡି ଓ ମିନାବଜାର ପାଇଁ କେତେକ ରାସ୍ତା ଗହଳି ହୋଇପାରେ । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି ।
ପେଶାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ପୁରା ରାଜଧାନୀର କୋଣ ଅନୁକୋଣରେ ସିସିଟିଭି ନଜର ରଖିଛି । ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ଜାଗାରେ ନାକାବନ୍ଦୀ ଚାଲିଛି । ଦଫା ୧୧୦ ଲାଗିଥିବା ଅଭିଯୁକ୍ତ ଥାନାରେ ହାଜିରା ଦେବେ ।ସମୟରେ ହାଜିରା ନଦେଲେ ପେଶାଦାର ଅପରାଧୀ ବନ୍ଧା ହେବେ । ବ୍ରାଉନସୁଗର, ନକଲି ମଦ ପାଇଁ ଦୈନନ୍ଦିନ ଚଢ଼ାଉ ଚାଲିଛି । ହ୍ୱାଇଟ୍ ସ୍ପାଇଡର ଅପରେସନ ପ୍ରତେକ ଥାନାରେ ଚାଲିଛି । ଚଳିତ ମାସ ୧ ତାରିଖରୁ ୧୯ ତାରିଖ ମଧ୍ୟରେ ୩୮ ମାମଲା ରୁଜୁ ହୋଇଛି ।
ଡିସିପି କହିଛନ୍ତି ଯେ, ବ୍ରାଉନସୁଗର ଜବତ ଘଟଣାରେ ୨୫ଟି ଓ ୧୩ଟି ଗଞ୍ଜେଇ କେସ ରୁଜୁ ହୋଇଛି । ୪୬୬ ଗ୍ରାମ ବ୍ରାଉନସୁଗର ସହ ୨ ଲକ୍ଷ ୬୯ ହଜାର ଟଙ୍କା ଠାବ ହୋଇଛି । ପାଖାପାଖି ୨ କୁଇଂଟାଲ ଗଞ୍ଜେଇ ଜବତ ହୋଇଛି ।
