ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ
ପୁରୀ : ଚାଲିଛି ପବିତ୍ର ପଞ୍ଚୁକ ବ୍ରତ । ପଞ୍ଚୁକରେ ମହାପ୍ରଭୁ ବିଭିନ୍ନ ବେଶ ଧାରଣ କରିଥାନ୍ତି । ଆଜି କାର୍ତ୍ତିକ ମାସ ପଞ୍ଚୁକର ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଡାଳିକଆ ବା ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥାଏ । ଏହି ବେଶରେ ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ରଙ୍ଗବେରଙ୍ଗର ଫୁଲକୁ ଶ୍ରିମସ୍ତକରେ ଲଗାଯାଏ । ଏହି ଡାଳିର ମଝିରେ ଠିଆପାଖୁଡା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜା ଯାଇଥାଏ । ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ବେଶକୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି ।
ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଦୁଇଟି ଡ଼ାଳି ଚୂଳ ଶୋଭା ପାଏ । ଧାଡ଼ି ଧାଡ଼ି ହୋଇ ପୁଷ୍ପ ଅଳଙ୍କାର ଖଞ୍ଜା ଯାଇଥାଏ । ମଝିରେ ସୁବର୍ଣ୍ଣ କିଆ ସବୁ ଖଞ୍ଜା ଯାଏ । ସମଗ୍ର ବେଶକୁ ଧରି ରଖେ ଶ୍ରୀମୁଖରେ ଲାଗିହୋଇଥିବା ଗୋଟିଏ ଲେଖାଏଁ ବଳା । ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ସୁବର୍ଣ୍ଣ କିରିଟ ଶୋଭା ପାଇବ । ଏହିଦିନ ମଧ୍ୟ ଠାକୁରଙ୍କ ରାହାସ ନୀତି ରହିଛି ।
