ଶ୍ରୀଲଙ୍କାରେ ତୀବ୍ର ହେଉଛି ଆନ୍ଦୋଳନ : ପୋଲିସର ଗୁଳି ମାଡ଼ରେ ଜଣେ ମୃତ, ୧୧ ଗୁରୁତର
ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଖାଦ୍ୟ ପାଇଁ ଡହଳବିକଳ ଲୋକେ । ଏହି ସମୟରେ ଶ୍ରୀଲଙ୍କାର ରାମାକୁମ୍ବାରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛି ପୁଲିସ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଖାଦ୍ୟ ଅଭାବ ତା’ ଉପରେ ଔଷଧ ମିଳୁନଥିବାରୁ ସରକାରଙ୍କ ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି ଲୋକେ । ଗୋଟେପଟେ ଚାଷୀଙ୍କୁ ସରକାର ସାର ଯୋଗାଇପାରୁନାହାଁନ୍ତି । ଅନ୍ୟପଟେ ଚାଉଳ, ଗହମ, ଚିନି, ଅଣ୍ଡା, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ସିଲିଣ୍ଡର ସମେତ ଯେତେକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶ ଛୁଆଁ । ଲୋକଙ୍କ ପକ୍ଷେ ଏହିସବୁ ଜିନିଷ କିଣିବା ସମ୍ଭବ ହେଉନାହିଁ । ଯାହାର ପ୍ରତିବାଦ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ । ପୁଲିସ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିବାର ଖବର ଆସିଛି ।
ଆର୍ଥିକ ସଂକଟ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରୀଲଙ୍କାର କୃଷକମାନେ । ଚାଷୀଙ୍କୁ ସରକାର ସାର ଯୋଗାଇପାରୁନାହାନ୍ତି । ଶ୍ରୀଲଙ୍କାରେ ଗୋଟିଏ ଅଣ୍ଡାର ଦାମ୍ ୩୦ଟଙ୍କା ହୋଇଥିବା ବେଳେ ଗହମ କିଲୋ ୧୯୦ଟଙ୍କା, ପେଟ୍ରୋଲ ଲିଟର ପିଛା ୨୫୦ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୨୦୦ଟଙ୍କାରେ ପହଞ୍ଚିଛି । ସେହିଭଳି ଗ୍ୟାସ୍ ସିଲିଣ୍ଡର ଦାମ୍ ୪ହଜାର ୨୦୦ଟଙ୍କା, ମିଲ୍କ ପାଉଡର କିଲୋ ୧୯ଶହ ଟଙ୍କା, ଚିନି କିଲୋ ୨୪୦ଟଙ୍କା, ଚାଉଳ କିଲୋ ୨୨୦ଟଙ୍କା ହୋଇଛି । ଲୋକଙ୍କ ପକ୍ଷେ ଏସବୁ ଜିନିଷ କିଣିବା ସମ୍ଭବ ପର ହେଉନାହିଁ । ଯାହାକୁ ନେଇ ସେମାନେ ସରକାର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ।
