କାଜାକସ୍ତାନରେ ଜାରି ରହିଛି ବିକ୍ଷୋଭ, ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ
ନୂଆଦିଲ୍ଲୀ : କାଜାକସ୍ତାନରେ ଜାରି ରହିଛି ବିକ୍ଷୋଭ । ଏହି ବିକ୍ଷୋଭରେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି। ହଜାର ହଜାର ଲୋକ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ରୋକିବା ପାଇଁ କାଜାକସ୍ତାନ ସରକାର ଏବେ ଦେଖିବା ମାତ୍ରେ ଗୁଳି ମାରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଖଣ୍ଡଯୁଦ୍ଧରେ ୨୬ ଜଣ ଆନ୍ଦୋଳନକାରୀ ଏବଂ ୧୮ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କାଜାକସ୍ତାନରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଯେଉଁଥିପାଇଁ ସେଠାରେ ଉତ୍ତେଜନା ଲାଗିରହିଛି। ସେଠାକାର ସ୍ଥିତି ଦେଖି ରୁଷ ଶାନ୍ତି ସେନା ପଠାଇଛି । ଅନ୍ୟପକ୍ଷରେ ଲୋକେ ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି । ବିକ୍ଷୋଭକାରୀମାନେ ସରକାରୀ କୋଠାରେ ଧସେଇ ପଶିଥିବା ଦେଖିବାକୁ ମିଳିଛି । ସେଠାକାର ସରକାର ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ତାଣ୍ଡବଲୀଳା କରିଥିଲେ । ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଏବେ ସୁଦ୍ଧା ୨ ହଜାର ଜଣଙ୍କୁ ଗିରଫ କରାଯାଇଛି । କିଛି ଆକ୍ରମଣକାରୀଙ୍କୁ ନିପାତ କରାଯାଇଥିବା ମଧ୍ୟ ସରକାର କହିଛନ୍ତି ।
