ମୂଲ୍ୟବୃଦ୍ଧି ବିରୋଧରେ ବାଲେଶ୍ୱର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ବିରୋଧରେ ଜିଲା କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ‘ମେହେଙ୍ଗାଇ ମୁକ୍ତ ଭାରତ ଅଭିଯାନ\’ ସ୍ଲୋଗାନ ନେଇ ମିଶନ ପଡ଼ିଆରୁ ଶତାଧିକ ଦଳୀୟ କର୍ମୀ ବାହାରିଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କେନ୍ଦ୍ରରେ କ୍ଷମତାସୀନ ସରକାର ପ୍ରତଦିନ ଗରିବ, ମଧ୍ୟବିତ ଓ ନିମ୍ନମଧ୍ୟବିତଙ୍କୁ ଶୋଷଣ କରିବା ପାଇଁ ଯୋଜନା କରିବା ସହ ଅମ୍ବାନୀ, ଅଦାନୀ ଭଳି କମ୍ପାନୀ ଗୁଡ଼ିକୁ କିଭଳି ଲାଭ ମିଳିବ ସେନେଇ ଯୋଜନା କରୁଛନ୍ତି । ମୋଦି ସରକାର ୮ବର୍ଷ ହେଲା କ୍ଷମତାରେ ରହି ପେଟ୍ରୋଲ ଓ ଡିଜେଲ ଉପରେ ଦରବୃଦ୍ଧି କରାଇ ପ୍ରାୟ ୨୬ ଲକ୍ଷ ୫୧ହଜାର ୯୧୯କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି । ଯେଉଁମାନେ ଗାଡ଼ି ଚଳାଉଛନ୍ତି ଓ ଯେଉଁମାନେ ଗାଡ଼ି ଚଢୁନାହାଁନ୍ତି ସେମାନଙ୍କ ମୁଣ୍ଡରେ ୧ଲକ୍ଷ ଟଙ୍କା ଲେଖାଏଁ ବୋଝ ଲୋଦି ଦେଇଛନ୍ତି । ଦେଶରେ ୨୬କୋଟି ପରିବାର ରହୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରୁ ୧ଲକ୍ଷ ଟଙ୍କା ତେଲ ବାବଦରେ ଟିକସ ଆଦାୟ କରିଛନ୍ତି । ପ୍ରତିଦିନ ସରକାର ୮୦ପଇସା ଲିଟର ପିଛା ପଟ୍ରୋଲ ଓ ଡିଜେଲ ଉପରେ ବୃଦ୍ଧି କରି ଟିକସ ବୋଝ ବଢ଼ାଉଛନ୍ତି । ବିଗତ ୧୪ ଦିନ ମଧ୍ୟରେ ୧୨ଥର ତୈଳଦର ବୃଦ୍ଧି ହେଲାଣି । ଭାଜପା ସମେତ ଅନ୍ୟାନ୍ୟ ଦଳ କଂଗ୍ରେସମୁକ୍ତ ଭାରତ ସ୍ଲୋଗାନ ଦେଉଥିବା ବେଳେ କେବଳ କଂଗ୍ରେସ ଦଳ ଦରବୃଦ୍ଧି ବିରୋଧରେ ସ୍ୱର ଉତ୍ତୋଳନ କରୁଛି । ସ୍ୱାଧୀନାତ ପୂର୍ବରୁ ଓ ଏବେବି କଂଗ୍ରେସ ଦଳ ଲୋକଙ୍କ ସ୍ୱାର୍ଥ କଥା କହୁଥିଲା ବେଳେ ଅନ୍ୟଦଳଗୁଡ଼ିକ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିକ୍ଷୋଭକାରୀ କହିଛନ୍ତି । ବିକ୍ଷୋଭ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ବିକାଶ ଦାସ, ସ୍ମାରକ ଦାଶ, ଶେଖ୍ ୟୁନୁସ୍, ପଶୁପତି ଉପାଧ୍ୟାୟ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ଶୁଧାଂଶୁ ଶେଖର ଜେନା, କର୍ଣ୍ଣ ବେହେରା, କୃଷକ ସେଲ୍ ସଭାପତି ନିରଞ୍ଜନ ବେହେରା, ବିଳାସିନୀ ବେହେରା, ଜୀବନ ମହାପାତ୍ର, ନବପ୍ରସାଦ ବେହେରା, ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
