ସହକାରୀ ଶିକ୍ଷୟିତ୍ରୀଙ୍କ ଆକ୍ରୋଶମୂଳକ ବଦଳିକୁ ବିରୋଧ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ କଞ୍ଚନିବାଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନୈକା ସହକାରୀ ଶିକ୍ଷୟିତ୍ରୀଙ୍କୁ ଆକ୍ରୋଶମୂଳକ ବଦଳି ହୋଇଥିବା କଞ୍ଚନିବାଗ ଓ କାଦରାବାଦ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଜ୍ୟୋତିରାଣୀ ମାଝୀ, ସାରଗାଁ ସରପଞ୍ଚ ସାବିତ୍ରୀ ଶତପଥି, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଉମାକାନ୍ତ ମାଝୀଙ୍କ ସମେତ ଲିଲିମଣି ମାଝୀ, ଚଞ୍ଚଳା ମାଝୀ, ସବିତା ମାଝୀ, ନାରାୟଣ ମାଝୀ, ସରୋଜିନି ମାଝୀ, ଅହଲ୍ୟା ମାଝୀ, କମଲ ମାଝୀ, ଦମୟନ୍ତୀ ମାଝୀ ପ୍ରମୁଖ ମିଳିତ ଜନଶୁଣାଣୀ ଶିବିରରେ ଜିଲାପାଳଙ୍କୁ ସାକ୍ଷାତ କରି ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବଦଳି ନିର୍ଦ୍ଦେଶ ବାତିଲ୍ ସହ ପୁନଃର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅଭିଯୋଗ ଅସୁଯାୟୀ, ଗତ ୨୦୦୭ ମସିହାରୁ ପରିଚାଳିତ ବିଦ୍ୟାଳୟରେ ୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି । ସମ୍ପ୍ରତି ରେସନାଲାଇଜେସନ ପ୍ରକିୟାରେ ୨୦୦୮ ମସିହା ମେ ମାସରେ ନିଯୁକ୍ତି ପାଇଥିବା ଶିକ୍ଷୟତ୍ରୀ ମାନସୀ ସେଠୀଙ୍କୁ ବଦଳି ଆଦେଶ ହୋଇଛି । ଶିକ୍ଷୟତ୍ରୀ ମାନସୀଙ୍କର ବିଦ୍ୟାଳୟ ପ୍ରତି ଯଥେଷ୍ଟ ଅବଦାନ ରହିଥିବା ବେଳେ ପିଲାମାନଙ୍କୁ ମଧ୍ୟ ସେ ଉତ୍ତମ ଶିକ୍ଷା ପ୍ରଦାନ କରନ୍ତି । ବରିଷ୍ଠତା ଅନୁଯାୟୀ ଅନ୍ୟ ଶିକ୍ଷୟତ୍ରୀଙ୍କ ବଦଳି ହୋଇନଥିବା ବେଳେ ଆକ୍ରୋଶମୂଳକ ଭାବେ ଶ୍ରୀମତି ସେଠୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଶ୍ରୀମତି ସେଠୀଙ୍କ ସ୍ଥାନରେ ଅନ୍ୟ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଶ୍ରୀମତି ସେଠୀଙ୍କ ବଦଳି ଆଦେଶ ପ୍ରତ୍ୟାହୃତ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
