ଶିଶୁ ଓ କିଶୋରମାନଙ୍କ ପାଇଁ ସ୍ୱତନ୍ତ୍ର ମୋବାଇଲ ଫୋନ ପ୍ରଚଳନ ହେଉ-ଶିଶୁ ମଙ୍ଗଳ ସମିତି
କଟକ: ବିଗତ ୪ ବର୍ଷ ଭିତରେ ୨୮୩୨ ଜଣ ଅତି ସମ୍ବେଦନଶୀଳ ଅସହାୟ ଶିଶୁମାନଙ୍କ ଉପରେ ଅନୁଧ୍ୟାନ କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ଶିଶୁ ଓ କିଶୋରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଫୋନ୍ ଦେଶରେ ପ୍ରଚଳନ କରିବାକୁ ପ୍ରସ୍ତାବ ଦେଇଛି ଶିଶୁମଙ୍ଗଳ ସମିତି । ଯୌନ ପିଡିତା କିଶୋର କିଶୋରୀ,ଘରୁ ଲୁଚିଛପି ପଳାଇଯାଉଥିବା ଶିଶୁ, ରାସ୍ତାକଡରେ ଭିକ ମାଗୁଥିବା ପିଲା, ପିତାମାତା ଛେଉଣ୍ଡ ପିଲା, ଅପରାଧରେ ସଂପୃକ୍ତ ଶିଶୁ, ନିଶାଶକ୍ତ ଓ ନିଶା କାରବାର ସହିତ ସଂପୃକ୍ତ କିଶୋର, ବିପଦ ସଙ୍କୁଳ ଅନ୍ଲାଇନ୍ ଗେମ୍ ଖେଳୁଥିବା ପିଲା,ବିପଦ ସଙ୍କୁଳ ପରିବେଶରେ ସେଲ୍ଫି ନେଇ ଜୀବନକୁ ବିପଦକୁ ଠେଲି ଦେଉଥିବା ଶିଶୁ, ପାଠ ପ୍ରତି ଅନାଗ୍ରହ ପ୍ରକାଶ କରି ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବା କିଶୋର କିଶୋରୀ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟବିବାହ, ଯୌନ ସମ୍ପର୍କ ପାଇଁ ଲାଳାୟିତ ହୋଇ ଘରତ୍ୟାଗ କରି ପୁରୁଷମାନଙ୍କ ସହ ପଳାଉଥିବା କିଶୋରୀ, ବିବାହର ପ୍ରଲୋଭନରେ ପଡି ଘରୁ ଲୁଚି ପଳାଇବା ପରେ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇ ଆସୁଥିବା କିଶୋରୀମାନଙ୍କର ଏତାଦୃଶ ଆଚରଣର କାରଣକୁ ଅନୁଧ୍ୟାନ କରିବା ପରେ ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟ ଅମୀୟ ଭୂଷଣ ବିଶ୍ୱାଳ ଅନ୍ୟ କାରଣ ମାନଙ୍କ ଭିତରୁ ଶିଶୁ ଓ କିଶୋରମାନେ ବହୁଳ ଭାବରେ ଆଣ୍ଡ୍ରୋଏଡ୍ ମୋବାଇଲ ଫୋନ୍ର ଅପବ୍ୟବହାର କରିବା ଏକ ପ୍ରମୁଖ କାରଣ ବୋଲି ଜାଣିବାକୁ ପାଇଥିଲେ । ଉକ୍ତ ତଥ୍ୟ ଉପରେ ଅଧିକ ଗବେଷଣା,ଆଲୋଚନା,ପର୍ଯ୍ୟାଲୋଚନା ପରେ ଜଣାପଡିଲା ଯେ କିଶୋର କିଶୋରୀମାନେ ଇଣ୍ଟରନେଟ ସୁବିଧା ଥିବା ଟେଲିଫୋନ ବ୍ୟବହାରର ସୁଯୋଗକୁ ଅପବ୍ୟବହାର କରି ଅପରିଚିତ ବ୍ୟକ୍ତିଙ୍କ ସହିତ ସଂପର୍କ ସ୍ଥାପନ, ଦୀର୍ଘ ସମୟ ଧରି ତାଙ୍କ ସହିତ ବାର୍ତ୍ତାଳାପ, ନିଜର ଅଶ୍ଳୀଳ ଫୋଟ ଓ ଭିଡ଼ିଓ ସାମାଜିକରଣ ମାଧ୍ୟମରେ ପ୍ରେରଣ, ବନ୍ଧୁତା ସ୍ଥାପନ ପରେ ଯୌନ ସମ୍ପର୍କ ରଖିବା ପାଇଁ ଉତ୍ସାହିତ ହେବା ଫଳରେ ନିଜର ମୌଳିକ ଶିକ୍ଷା, ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି ନଦେଇ ଘରୁ ଲୁଚି ପଳାଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ନିଜର ଭବିଷ୍ୟତକୁ ନଷ୍ଟ କରୁଛନ୍ତି । ସେଭଳି କିଛି ଅସାମାଜିକ ବ୍ୟକ୍ତି ନାବାଳକ ନାବାଳିକାମାନଙ୍କୁ ନିଶା ସେବନ କରାଇ ବିଭିନ୍ନ ପ୍ରକାର ଅସାମାଜିକ ଓ ଆଇନବିରୁଦ୍ଧ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ବହୁ ସଂଖ୍ୟାରେ କିଶୋର କିଶୋରୀ ମୋବାଇଲ ଫୋନରେ ବିଭିନ୍ନ ବିପଦଜନକ ଖେଳ ଖେଳି ଘରୁ ପଇସା ଚୋରିକରୁଛନ୍ତି ।
ଏହି ପରିପ୍ରେକ୍ଷିରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶୁଶ୍ରୀ ମନ୍ଦାକିନୀ ଜେମା ଓ ସଦସ୍ୟ ଚିତ୍ତରଞ୍ଜନ ମହାନ୍ତିଙ୍କ ସହ ବିଚାର ବିମର୍ଶ ପରେ ସେମାନଙ୍କର ଉପାଦେୟ ମତାମତକୁ ଆଧାର କରି ଦେଶର ଶିଶୁ ଓ କିଶୋରକିଶୋରୀଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଓ ସେମାନଙ୍କର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏକ ସ୍ୱତନ୍ତ୍ର ପ୍ରକାରର ଆଣ୍ଡ୍ରୋଏଡ୍ ମୋବାଇଲ ଫୋନ୍ ପ୍ରଚଳନ କରାଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ଯେଉଁ ଥିରେ କେବଳ ନିଜର ପରିବାର, ବନ୍ଧୁ ବାନ୍ଧବ, ସୀମିତ ସାଙ୍ଗସାଥୀ, ସୀମିତ ଶିକ୍ଷକ ଶିକ୍ଷୟତ୍ରୀ ଓ ଦେଶରେ ପ୍ରଚଳିତ ସମସ୍ତ ହେଲ୍ପଲାଇନ ନମ୍ବର ବ୍ୟତୀତ ଅନ୍ୟ କୌଣସି ନମ୍ବର ଓ ଶିକ୍ଷା ଓ ସୀମିତ ଅବସର ବିନୋଦନ ବ୍ୟତୀତ ଅନ୍ୟ କୌଣସି ଆପ୍ଲିକେସନ୍ ବ୍ୟବହାର ହୋଇପାରିବ ନାହିଁ । ଏପରି ହୋଇପାରିଲେ ଶିଶୁ ନିର୍ଯାତନାକୁ କମ୍ କରାଯାଇପାରିବା ସହିତ କିଶୋର କିଶୋରୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ଶିଶୁ ମଙ୍ଗଳ ସମିତି ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଏହି ପ୍ରସ୍ତାବ ପ୍ରେରଣ କରି ସମଗ୍ର ଦେଶରେ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିିଛନ୍ତି ବୋଲି ବରିିଷ୍ଠ ସଦସ୍ୟ ଅମିୟ ଭୁଷଣ ବିଶ୍ୱାଳ ଜଣାଇ ଛନ୍ତି ।
