ଅଟକିଲା ତାଲିବାନର ସରକାର ଗଠନ ପ୍ରକ୍ରିୟା
- ସୁରା କାଉନସିଲ କରିବ ଶାସନ, ମହିଳାଙ୍କୁ ମିଳିବନି ସ୍ଥାନ
କାବୁଲ: ସରକାର ଗଠନ ପାଇଁ ଆଜି ପୂରା କାବୁଲରେ ହୋର୍ଡିଂ ଲଗାଯାଇ ଥିଲା । କାନ୍ଥରେ ତାଲିବାନ ସରକାର ଗଠନ କରିବ ବୋଲି ନାରା ମଧ୍ୟ ଲେଖାଯାଇଥିଲା । କିନ୍ତୁ ଶେଷ ମୁହୂର୍ତରେ ସରକାର ଗଠନର ଘୋଷଣା ଉପରେ ରୋକ ଲାଗି ଯାଇଛି । କାହିଁକି ଘୋଷଣା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା, ସେକଥା କୁହାଯାଇ ନାହିଁ । କିନ୍ତୁ ଶନିବାର ତାଲିବାନ ସରକାରର ନୂଆ କ୍ୟାବିନେଟ ସମ୍ପର୍କ ଘୋଷଣା କରାଯିବ ।
ସୁରା କାଉନସିଲରେ ଶୀର୍ଷ ତାଲିବାନ ନେତାମାନେ ରହିବେ, ଏହା ଛଡା ବିଭିନ୍ନ କ୍ଷେତ୍ରରୁ ଭିନ୍ନଭିନ୍ନ ସମୂଦାୟର ଲୋକଙ୍କୁ ବି ସ୍ଥାନମିଳିବ । ତେବେ ସରକାରରେ ଜଣେବି ମହିଳା ସଦସ୍ୟ ରହିବେନି ବୋଲି ନିଷ୍ପତି ହୋଇଛି । ଏହି କାଉନସିଲର ସଦସ୍ୟମାନେ ସରକାରରେ ପ୍ରତିନିଧିତ୍ୱ କରିବେ । ନିଷ୍ପତି ଅନୁସାରେ ମୁଲ୍ଲା ଅବଦୁଲ ଗନି ବରାଦର ରାଜନୈତିକ ମୁଖ୍ୟାଳୟର ପ୍ରମୁଖ ହୋଇପାରନ୍ତି । ମିଳୁଥିବା ସୂଚନାରୁ ନୂଆ ସରକାରର ୮୦ ପ୍ରତିଶତ ସଦସ୍ୟ ତାଲିବାନର ଦୋହା ଟିମରୁ ରହିବେ । ଗତ ୨୦୧୦ ମସିହାରୁ ବରିଷ୍ଠ ତାଲିବାନ ନେତାମାନେ ଦୋହାରେ ରହି ଆସୁଥିଲେ । ନୂଆ ସରକାରରେ ଶେର ଅବ୍ୱାସ ସ୍ତନିକଜାୟୀଙ୍କୁ ବିଦେଶ ମନ୍ତ୍ରୀ ପଦ ମିଳିପାରେ । ହମ୍ମିଦ କର୍ଜାଇ ଅଥବା ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ସୁରା କାଉନସିଲରେ ସ୍ଥାନ ମିଳିନପାରେ । ତେବେ ଏମାନେ ପରାମର୍ଶଦାତା ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି । ଆଫଗାନିସ୍ତାନ ନୂଆ ସରକାରରେ ହକ୍କାନୀ ନେଟୱାର୍କକୁ ମଧ୍ୟ ଉପଯୁକ୍ତ ଗୁରୁତ୍ୱମିଳିବ । ୱାରଲର୍ଡରୁ ରାଜନେତା ହେବାକୁ ଚାହୁଁଥିବା ଗୁଲୁବୁଦ୍ଦିନ ହେକମତୟାରକୁ ମଧ୍ୟ ସରକାରର ଅଂଶ କରାଯାଇପାରେ । ତେବେ ତାକୁ ଦ୍ୱିତୀୟ ଅଥବା ତୃତୀୟ ଶ୍ରେଣୀ ନେତା ଭାବେ ସ୍ଥାନ ମିଳିବ । ପରିକଳ୍ପିତ ସରକାର ଏକ ଅନ୍ତରୀଣ ସରକାର ହେବ । ଆଗାମୀ ବର୍ଷ ନୂଆ ସମ୍ବିଧାନ ପ୍ରଣିତ ହେବା ପରେ ସରକାରର ବାସ୍ତବ ରୂପରେଖ ସାମ୍ନାକୁ ଆସିବ ।
