ଭବାନୀପୁରରେ ମମତାଙ୍କ ବିପକ୍ଷରେ ଲଢ଼ିବେ ପ୍ରିୟଙ୍କା
କୋଲ୍କାତା : ଆସନ୍ତା ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନର ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭବାନୀପୁର ବିଧାନସଭା ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଲଢିବେ । ତାଙ୍କୁ ଭବାନୀପୁରରେ ଟକ୍କର ଦେବା ପାଇଁ ବିଜେପି ପ୍ରିୟଙ୍କା ଟିବ୍ରେୱାଲ୍ଙ୍କୁ ପ୍ରାର୍ଥିନୀ କରିଛି। ଫଳରେ ଏକ କଡା ଟକ୍କର ଦେଖିବାକୁ ମିଳିବ ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି ।
ପ୍ରିୟଙ୍କା ଟେବରୱାଲ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରୀୟଙ୍କ ଆଇନ୍ ପରାମର୍ଶ ଦାତା ରହିଥିବା ବେଳେ ସୁପ୍ରିମକୋର୍ଟ ଓ କୋଲକାତା ହାଇକୋର୍ଟରେ ଆଇନଜୀବୀ ମଧ୍ୟ ରହିଛନ୍ତି । ବାବୁଲ୍ ସୁପ୍ରିୟୋଙ୍କ ଅନୁରୋଧକ୍ରମେ ୨୦୧୪ରେ ସେ ‘ବିଜେପି’ରେ ଯୋଗ ଦେଇଥିଲେ। ପ୍ରିୟଙ୍କା ବିଜେପିର ଜଣେ ହେଭି ୱେଟ୍ ନେତ୍ରୀ ହୋଇଥିବା ବେଳେ ପଶ୍ଚିମବଙ୍ଗ ରାଜନୀତୀରେ ଏବେ ବେଶ୍ ସକ୍ରିୟ। ସେ ଗତ ଏପ୍ରିଲ୍-ମେ’ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ।
ସୂଚନା ଯେ, ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ‘ବିଜେପି’ ପ୍ରାର୍ଥୀ ତଥା ନିଜର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାକୁ ହେଲେ ତାଙ୍କୁ ଭବାନୀପୁର ଆସନ ଉପନିର୍ବାଚନରେ ଜିତିବାକୁ ପଡ଼ିବ। ଫଳରେ ଭବାନୀପୁରରେ ବାଜି ମାରିବା ପାଇଁ କଳବଳ କୌଶଳ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏହାରି ମଧ୍ୟରେ ବିଜେପି ମଧ୍ୟ ତାର ସ୍ୱତନ୍ତ୍ର ରଣନୀତି ଆପଣାଇଛି ଦିଦିଙ୍କୁ ଚେକ୍ ମେଟ୍ ଦେବା ପାଇଁ । ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଟିଏମସିକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଭବାନୀପୁରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।
