ଫିଲ୍ମ ଷ୍ଟାଇଲରେ ବାଲିଗୁଡ଼ା ଜେଲରୁ କଏଦୀ ଫେରାର
କନ୍ଧମାଳ : କାରାଗାରରୁ ଜଣେ କଏଦୀ ଫେରାର ହୋଇାଯାଇଛି। ଦିନ ଦ୍ୱିପହରରେ ପୋଲିସକୁ ଚଖମା ଦେଖେ ସର୍ବସମ୍ମୁଖରେ ଚମ୍ପଟ ମାରିଛି। ଫେରାର କଏଦୀ ଜଣକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଟୁକୁନା ମୁଳି (୩୮) ବୋଲି ଜଣାପଡ଼ିଛି। ଏଭଳି ଲୋକହସା ଘଟଣା କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ କାରାଗାରରେ ଦେଖିବାକୁ ମିଳିଛି।
ଫେରାର କଏଦୀ ଟୁକୁନା ମୁଳି ଦେଢ଼ ବର୍ଷ ହେଲା ଏକ ହତ୍ୟା ଘଟଣାରେ ଜେଲରେ ଥିଲା। ତେବେ ବାଲିଗୁଡା ଉପଖଣ୍ଡ କାରାଗାର ପକ୍ଷରୁ ସୋମବାର ଦିନ ଦ୍ୱପହର ପରଠାରୁ ଟୁକୁନାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି। ସ୍ଥାନୀୟ ବାଲିଗୁଡା ଥାନାରେ ଏନେଇ କୌଣସି ଫେରାର ରିପୋର୍ଟ କାରାଗାର ପକ୍ଷରୁ ଦିଆଯାଇନାହିଁ। ହେଲେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ଏବେ କିନ୍ତୁ ଚଳଚଞ୍ଚଳ ହୋଇ ଉଠିଛି।
ସୂଚନା ଯେ, କାରାଗାରରେ ରହିଥିବା ଜେଲରଙ୍କ ରୁମ ବା କଏଦୀଙ୍କୁ ଭେଟିବା ପାଇଁ ରହିଥିବା ଗୃହକୁ ଫେରାର କଏଦୀ ଟୁକୁନା ପ୍ରତି ସମୟରେ ଯାଆଆସ କରୁଥିଲା। ଆଉ ସମୟ ଦେଖି ଲୁହା ଗେଟରେ ରହିଥିବା ଲୁହା ରଡ଼କୁ ଆରୀ ପତିଆ ସାହାଯ୍ୟରେ କାଟୁ ଥିଲା। ଆଉ କାଟୁ ଥିବା ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ଲାକ ଟେପ ସାହାଯ୍ୟରେ ଘୋଡ଼ାଇ ରଖୁଥିଲା। ହେଲେ ସୋମବାର ସୁଯୋଗ ପାଇ ପୂର୍ବ ଯୋଜନା ଅନୁଯାୟୀ ଟୁକୁନା ଲୁହା ଗେଟରେ ରହିଥିବା ଲୁହା ରଡ଼ କୁ କାଡ଼ି ସେଠୁ ସଭିଙ୍କ ସମ୍ମୁଖରେ ଚମ୍ପଟ ମାରିଥିଲା। ସତେ ଯେମିତି ଫିଲ୍ମରେ କଏଦୀମାନେ ଫେରାର ହୁଅନ୍ତି, ଠିକ ସେଭଳି। ଆଉ ଏବେ ଲୋକହସାର ପାତ୍ର ସାଜିଥିବା ପୋଲିସ ସ୍ଥାନେ ସ୍ଥାନେ ଟୁକୁନାଙ୍କୁ ଖୋଜୁଛି।
