ଆଜି କୋଇଲା ପରିସ୍ଥିତିର ସମୀକ୍ଷା କରିବ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭାରତରେ କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଦେଖାଦେବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଏକ ସମୀକ୍ଷା ବୈଠକ କରିବାର ସମ୍ଭାବନା ରହିଛି। ଗତକାଲି କୋଇଲା ଅଭାବକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକ କରିଥିଲେ। ଏହା ପରେ ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ କୋଇଲା, ରେଳ ଏବଂ ଶକ୍ତି ମନ୍ତ୍ରାଳୟ ଏକ ସଂକଟ ପରିଚାଳନା ଗୋଷ୍ଠୀ ଗଠନ କରିଥିଲେ।
ଦେଶ କୋଇଲା ଅଭାବ ସଙ୍କଟ ଦେଇ ଗତି କରୁଛି। ଏହି କାରଣରୁ ଅନେକ ସ୍ଥାନରେ ବିଦ୍ୟୁତ୍ କାଟ ମଧ୍ୟ କରାଯାଉଛି। ଶକ୍ତି ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକ ଆଜି ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶକ୍ତି ମନ୍ତ୍ରୀ ଆର.କେ ସିଂ, କୋଇଲା ମନ୍ତ୍ରୀ ପ୍ରହଲଦ ଯୋଶୀ ଏବଂ କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟୁତ ଯୋଗାଣରେ ବ୍ୟାଘାତ ହେବାର ଆଶଙ୍କା ନାହିଁ ବୋଲି କୋଇଲା ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି। ଏହା ପୁର୍ବରୁ ଅନେକ ରାଜ୍ୟ କୋଇଲା ଅଭାବରୁ ବ୍ଲାକଆଉଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ଚରଣଜିତ୍ ଚାନ୍ନିଙ୍କ ସମେତ ଅନେକ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଶକ୍ତି ପରିସ୍ଥିତି ଗୁରୁତର ହୋଇଛି। ରାଜ୍ୟମାନଙ୍କୁ କୋଇଲା ଯୋଗାଣ ସୁନିଶ୍ଚିତ କରିବାକୁ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପକୁ ଅନୁରୋଧ କରିଛନ୍ତି। ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଦେଶର ଅନେକ ଥର୍ମାଲ୍ ପ୍ଲାଣ୍ଟ କୋଇଲା ଭଣ୍ଡାରର ଭୟଙ୍କର ଅଭାବର ସମ୍ମୁଖୀନ ହେଉଛନ୍ତି । ଏହା ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିପାରେ । ୫ ଅକ୍ଟୋବର ସୁଦ୍ଧା, ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ବ୍ୟବହାର କରୁଥିବା ୧୩୫ ଟି ପ୍ଲାଣ୍ଟ ମଧ୍ୟରୁ ୧୦୬ ଟିରେ କେବଳ ୬-୭ ଦିନ ପାଇଁ ଷ୍ଟକ୍ ଥିଲା ।
