ବାଲେଶ୍ୱରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ, ରୋଗୀଙ୍କୁ ପୁଷ୍ଟିକର ଆହାର କିଟ୍ ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା (ଟିବି) ରୋଗୀଙ୍କ ନିମନ୍ତେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପୁଷ୍ଟିକର ଆହାର ଯୋଗାଣ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଟିବି ରୋଗୀ ଭାବେ ଚିହ୍ନଟ ହିତାଧିକାରୀଙ୍କୁ ପୁଷ୍ଟିକର ଖାଦ୍ୟ ରାସନ କିଟ୍ ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମଗ୍ର ଜିଲାରେ ଟିବି ରୋଗୀଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ହେଉଥିବା ସତ୍ତ୍ୱେ ପୁଷ୍ଟିକର ଆହାର ଅଭାବରୁ ରୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରୁ ନାହାନ୍ତି । ସେମାନଙ୍କୁ ନିୟମିତ ପୁଷ୍ଟିକର ଆହାର ଯୋଗାଇଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନରେ ନିକ୍ଷୟ ମିତ୍ର ଭାବେ ଜିଲାର ଶିଳ୍ପାନୁଷ୍ଠାନ ଓ ସ୍ୱାସ୍ଥ୍ୟ ବିଭାଗରର ଅଧିକାରୀଙ୍କ ସମେତ ବହୁ ଅନୁଷ୍ଠାନଙ୍କ ସହଯୋଗରେ ୬ମାସ ପର୍ଯ୍ୟନ୍ତ ଏହି ରାସନ କିଟ୍ ଯୋଗାଇ ଦିଆଯିବ । ୬ମାସ ମଧ୍ୟରେ ଟିବି ରୋଗୀ ଉପଯୁକ୍ତ ଆହାର ଓ ଔଷଧ ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ବୋଲି ଆଶା ପ୍ରକାଶ ସହ ଆବଶ୍ୟକ କ୍ଷେତ୍ରରେ ଏହାର ଅବଧିକୁ ଆହୁରି ବଢ଼ାଯିବ ବୋଲି ସୂଚନା ଦେଇଥିଲେ ।
ଜିଲା ମୁଖ୍ୟ ଚିିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ ଏହି କାର୍ଯ୍ୟକ୍ରମରେ ପୌରହିତ୍ୱ କରିବା ସହିତ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର ଅଭିମୁଖ୍ୟ ଓ ଜିଲାରେ ଏହି ଅଭିଯାନର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲାରେ ଚିହ୍ନଟ ୧୫ଶହ ଟିବି ରୋଗୀଙ୍କୁ ପ୍ରତ୍ୟେକ ମାସ ନିଃଶୁଳ୍କ ଔଷଧ ପ୍ରଦାନ କରାଯାଉଥିବା ବେଳେ ପୁଷ୍ଟିକର ଆହାର ଭାବେ ଚାଉଳ, ଡାଲି, ବାଦାମ, ମିଲ୍କ ପାଉଡର ପ୍ରଭୃତି ସମ୍ବଳିତ କିଟ୍ ପ୍ରଦାନ ହେବ । ଏହା ପ୍ରତ୍ୟକ ବ୍ଲକସ୍ତରରେ ଆଶାକର୍ମୀଙ୍କ ଦ୍ୱାରା ରୋଗୀଙ୍କ ଘରକୁ ଘର ପ୍ରଦାନ ସହ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ । ୨୦୨୫ ମସିହା ସୁଦ୍ଧା ଟିବି ମୁକ୍ତ ଭାରତ ପାଇଁ ରହିଥିବା ଲକ୍ଷ୍ୟ ନିଶ୍ଚିତ ସଫଳ ହେବ ବୋଲି ଆଶାପ୍ରକାଶ କରିଥିଲେ । ଜିଲାରେ ଏହି ଅଭିଯାନ ପାଇଁ ସହଯୋଗ ପ୍ରଦାନ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦ୍ଦେବ ଧନ୍ୟବାଦ ଜଣାଇଥିଲେ । ଏହି ଅଭିଯାନରେ ଟାଟା ଷ୍ଟିଲ ଫାଉଣ୍ଡେସନ, ହାଇଲାଣ୍ଡ ଏଗ୍ରୋ ଫୁଡ଼, ଇଣ୍ଡିଆନ୍ ଓଏଲ, ଫାଲକନ ମେରାଇନ, ଆଇସିଆଇସିଆଇ ବ୍ୟାଙ୍କ, ହରି ଉଦ୍ୟୋଗ, ଇମାମୀ ପେପର ମିଲସ, ଓରି ପ୍ଲାଷ୍ଟ, ଅଙ୍କୁର ପ୍ଲାଷ୍ଟିକ ପ୍ରଭୃତି ଶିଳ୍ପାନୁଷ୍ଠାନ ସମେତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗଦ୍ଦେବ, ଏଡିଏମଓ ଡା. ମୃତ୍ୟୁଞୟ ମିଶ୍ର, ଡା. ସୁମିତ୍ରା ଦେ, ଡା. ରଞ୍ଜନ କୁମାର ନାୟକ, ବିଶ୍ୱରଞ୍ଜନ ନାୟକ, ଶରତ ଦାସମହାପାତ୍ର ପ୍ରମୁଖ ନିକ୍ଷୟ ମିତ୍ର ଭାବେ ସହାୟତା ପ୍ରଦାନ କରିଛନ୍ତି । ତେବେ ଏହି ଅଭିଯାନରେ ସାମିଲ ହୋଇ ସନ୍ତୋଷ ପ୍ରକାଶ କରିଛନ୍ତି ହରି ଉଦ୍ୟୋଗର ନିର୍ଦ୍ଦେଶକ ସଞ୍ଜୟ ଦାସ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଅଭିଯାନ ବାସ୍ତବିକ ପ୍ରଶଂସନୀୟ ହୋଇଥିବା ବେଳେ ଏଥିରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ବୋଲି ଶ୍ରୀ ଦାସ କହିଥିଲେ । ସ୍ୱାସ୍ଥ୍ୟ ବିଭାଗ ମାଧ୍ୟମରେ ଟିବି ରୋଗୀମାନଙ୍କୁ ନିୟମିତ ପୁଷ୍ଟିକର ଆହାର ଓ ଔଷଧ ମିଳିପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ । ଏଡିଏମଓ ଡା. ମିଶ୍ର ଓ ଡିପିଏମ ଅନୀଲ କୁମାର ମହାନ୍ତିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
