ଆଡ଼ଭାନୀଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ
- ଦେଶ ତାଙ୍କ ନିକଟରେ ସର୍ବଦା ଋଣୀ ରହିବ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡ଼ଭାନୀଙ୍କ ବିଦୁତାପୂର୍ଣ୍ଣ ଗତିବିଧି ଏବଂ ସମୃଦ୍ଧ ବୁଦ୍ଧି ପାଇଁ ପ୍ରଶଂସା କରିଛନ୍ତି । ତା’ ସହିତ ଲୋକଙ୍କୁ ସଶକ୍ତ କରିବା ଏବଂ ଆମ ସାଂସ୍କୃତିକ ଗୌରବକୁ ବଢ଼ାଇବାର ମଧ୍ୟ ଶ୍ରେୟ ତାଙ୍କୁ ଦେଇଥିଲେ । ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଆଡ଼ଭାନି ଆଜି ୯୪ ବର୍ଷରେ ପଦାର୍ପଣ କରିଛନ୍ତି । ଭାଜପାର ବରିଷ୍ଠ ନେତାଙ୍କୁ ବ୍ୟକ୍ତିଗତ ରୂପରେ ବଧାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ଘରକୁ ମଧ୍ୟ ଯାଇଛନ୍ତି । ଏହି ସମୟରେ ତାଙ୍କ ସହ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାଜପାଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ଆଦରଣୀୟ ଆଡ଼ଭାନୀ ଜୀଙ୍କୁ ଜନ୍ମଦିନରେ ବଧାଇ । ତାଙ୍କ ଲମ୍ବା ଏବଂ ସୁସ୍ଥ ଜୀବନର ପ୍ରାର୍ଥନା କରୁଛି । ଲୋକଙ୍କୁ ସଶକ୍ତ କରିବା ଏବଂ ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବାର ଦିଗରେ ତାଙ୍କ ତମାମ ପ୍ରୟାସ ପାଇଁ ରାଷ୍ଟ୍ର ତାଙ୍କର ଋଣୀ ରହିବ । ତାଙ୍କୁ ତାଙ୍କ ବିଦ୍ୱତାପୂର୍ଣ୍ଣ ଗତିବିଧି ଏବଂ ସମୃଦ୍ଧ ବୁଦ୍ଧି ପାଇଁ ମଧ୍ୟ ବ୍ୟାପକ ରୂପରେ ସମ୍ମାନିତ କରାଯାଇଛି । ଆଡ଼ଭାନୀଙ୍କ ଜନ୍ମ ୮ ନଭେମ୍ବର ୧୯୨୭ରେ ଅବିଭାଜିତ ହିନ୍ଦୁସ୍ଥାନରେ ହୋଇଥିଲା । ସେ ଅଟଳ ବିହାରୀ ବାଜପେୟୀ ସରକାରରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ୭ମ ଉପ ପ୍ରଧାନମନ୍ତ୍ରୀ ରୂପରେ କାର୍ଯ୍ୟ କରିଛନ୍ତି । ଆଡ଼ଭାନୀ ଦେଶର ଗୃହମନ୍ତ୍ରୀର ପଦ ମଧ୍ୟ ସମ୍ଭାଳିଛନ୍ତି । ଆଡ଼ଭାନୀ ଭାରତୀୟ ଜନତା ପାର୍ଟିର ସହ-ସଂସ୍ଥାପକ ଏବଂ ବରିଷ୍ଠ ନେତା । ତାଙ୍କୁ ଭାରତର ଦ୍ୱିତୀୟ ବଡ଼ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି । ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଡଭାନିଙ୍କ ବାସଭବନରେ ପହଂଚି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଉପରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଟ୍ୱିଟ୍ ଜାରୀ କରାଯାଇଛି ।
