ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜିଓ୍ବାର ଠାରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ନୂତନ ଆନ୍ତର୍ଜାତୀୟ ବିମାନବନ୍ଦର ସହ ଉତ୍ତରପ୍ରଦେଶ ଦେଶର ଏକମାତ୍ର ପାଞ୍ଚଟି ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟରେ ସାମିଲ ହେବାକୁ ଯାଉଛି । ବିମାନ ସେବାର ପହଞ୍ଚକୁ ବଢାଇବା ଏବଂ ଭବିଷ୍ୟତରେ ବିମାନ ଚଳାଚଳ କ୍ଷେତ୍ର ସୃଷ୍ଟି କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଆରମ୍ଭ କରିଥିବା ଭିଜନର ଏହା ଏକ ଅଂଶ ବିଶେଷ । ସେହିପରି ଉତ୍ତରପ୍ରଦେଶରେ ନିକଟ ଭବିଷ୍ୟତରେ ମଧ୍ୟ ଅନେକ ବିମାନ ବନ୍ଦର ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ନିକଟରେ କୁସିନଗର ବିମାନବନ୍ଦର ଲୋକାର୍ପିତ ହୋଇଥିବାବେଳେ ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣଧୀନ ରହିଛି ।
ଏହି ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦରଟି ଏନସିଆର କ୍ଷେତ୍ରରେ ଦ୍ବିତୀୟ ବୃହତ୍ତମ ବିମାନବନ୍ଦର ହେବ । ଦିଲ୍ଲୀ ପରେ ଏହା ଦ୍ବିତୀୟ ବ୍ୟସ୍ତବହୁଳ ବିମାନବନ୍ଦର ହେବା ସହ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଏୟାର-ଟ୍ରାଫିକ ସମସ୍ୟା ମଧ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ, ଅଲିଗଡ, ଆଗ୍ରା, ଫରିଦାବାଦ ଅଞ୍ଚଳର ଲୋକଙ୍କୁ ସହଜ ବିମାନ ସେବା ଯୋଗାଇବାରେ ଏହି ନୂତନ ବିମାନବନ୍ଦର ବେଶ ସହାୟକ ହେବ ବୋଲି ବିଚାର କରାଯାଉଛି । ଏହି ବିମାନବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ ଗେଟୱେ ହେବ । ଏହାର ଉନ୍ନତ ମାପଦଣ୍ଡ ହେତୁ ବିମାନବନ୍ଦର ଉତ୍ତରପ୍ରଦେଶ ପାଇଁ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବା ବିଶ୍ବ ଲଜିଷ୍ଟିକ୍ ମାନଚିତ୍ରରେ ଉତ୍ତର ପ୍ରଦେଶକୁ ଏକ ପ୍ରମୁଖ ସ୍ଥାନ ଦେବ । ପ୍ରଥମ ଥର ପାଇଁ ଦେଶର ଏକ ବିମାନବନ୍ଦରକୁ ଏକ ଇଣ୍ଟିଗ୍ରେଟେଡ୍ ମଲ୍ଟି ମୋଡାଲ୍ କାର୍ଗୋ ହବ କରିବା ଦିଗରେ ଭିଜନ ରଖାଯାଇଛି । ଉତ୍ସର୍ଗୀକୃତ କାର୍ଗୋ ଟର୍ମିନାଲରେ ୨୦ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ରହିବ, ଯାହାକି ଆବଶ୍ୟସ୍ଥଳେ ୮୦ ଲକ୍ଷ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଶିଳ୍ପ ଉତ୍ପାଦଗୁଡିକର କାର୍ଗୋ ପରିବହନକୁ ସୁଗମ କରିବାରେ ଏହି ବିମାନବନ୍ଦର ସହାୟକ ହେବା ସହ ବିପୁଳ ପୁଞ୍ଜି ବିନିଯୋଗ, ଶିଳ୍ପ ଅଭିବୃଦ୍ଧିରେ ଦ୍ରୁତ ପରିବର୍ତ୍ତନ ଆଣିବ । ସେହିପରି ଏହା ଅନେକ ଉଦ୍ୟୋଗ ପ୍ରତିଷ୍ଠା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ବିମାନବନ୍ଦରରେ ଏକ ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟ ସେଣ୍ଟର ବିକଶିତ ହେବ, ଯେଉଁଥିରେ ଏକ ମଲ୍ଟିମୋଡାଲ ଟ୍ରାଞ୍ଜିଟ୍ ହବ୍, ହାଉସିଂ ମେଟ୍ରୋ ଏବଂ ହାଇସ୍ପିଡ୍ ରେଳ ଷ୍ଟେସନ୍, ଟ୍ୟାକ୍ସି, ବସ୍ ସେବା ଏବଂ ଘରୋଇ ପାର୍କିଂ ବ୍ୟବସ୍ଥା ରହିବ । ଏହା ସଡକ, ରେଳ, ଏବଂ ମେଟ୍ରୋ ସେବା ସହିତ ମଧ୍ୟ ବିମାନବନ୍ଦରକୁ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ନୋଏଡା ଏବଂ ଦିଲ୍ଲୀବାସୀ ଅସୁବିଧାଜନକ ମେଟ୍ରୋ ସେବା ମାଧ୍ୟମରେ ବିମାନବନ୍ଦର ପହଞ୍ଚିପାରିବେ । ୟମୁନା ଏକ୍ସପ୍ରେସୱେ, ୱେଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେ, ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଏବଂ ରାଜପଥ ବିମାନବନ୍ଦର ସହିତ ସଂଯୁକ୍ତ ହେବ । ଏହି ବିମାନ ବନ୍ଦରକୁ ଦିଲ୍ଲୀ-ବାରାଣାସୀ ରେଳପଥ ସହିତ ମଧ୍ୟ ସଂଯୋଗ କରାଯିବ, ଯାହାଫଳରେ ଦିଲ୍ଲୀବାସୀ ମାତ୍ର ୨୧ ମିନିଟରେ ନୋଏଡା ବିମାନ ବନ୍ଦରରେ ପହଞ୍ଚିପାରିବେ ।
