ଲକ୍ଷ୍ନୌରେ ୭୫-ନୂତନ ସହରାଂଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତନ ସମ୍ମିଳନୀ ଓ ଏକ୍ସପୋକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
- ଉତରପ୍ରଦେଶର ୭୫ଟି ଜିଲ୍ଲାର ୭୫,୦୦୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପିଏମଏୟୁ ଘର ଚାବି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲକ୍ଷ୍ନୌ ଠାରେ ଆଜାଦୀ ୭୫- ନୂତନ ସହରାଂଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତନ ସମ୍ମିଳନୀ ଓ ଏକ୍ସପୋ ଉଦ୍ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ହରଦୀପ ସିଂ ପୁରୀ, ମହେନ୍ଦ୍ର ନାଥ ପାଣ୍ଡେ, କୌଶଳ କିଶୋର, ଉତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ (ପିଏମଏୱାଇୟୁ) ଯୋଜନା ଅଧୀନରେ ଉତରପ୍ରଦେଶର ୭୫ଟି ଜିଲ୍ଲାର ୭୫ହଜାର ହିତାଧିକାରୀଙ୍କୁ ଘର ଚାବି ଦେବା ସହ ସେମାନଙ୍କ ସହ କଥାବାର୍ତା ହୋଇଥିଲେ । ସ୍ମାର୍ଟ ସିଟି ମିଶନ ଓ ଅମୃତ ଯୋଜନା ଅଧୀନରେ ସେ ଉତରପ୍ରଦେଶରେ ୭୫ଟି ସହରୀ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଅଧୀନରେ ସାତଟି ସହର ଲକ୍ଷ୍ନୌ, କାନପୁର, ବାରଣାସୀ, ପ୍ରୟାଗରାଜ, ଗୋରଖପୁର, ଝାନ୍ସୀ ଓ ଗାଦିଆବାଦକୁ ୭୫ଟି ବସ୍ ଚଳାଚଳର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭାରତ ସରକାରଙ୍କ ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ବିଭିନ୍ନ ଫ୍ଲାଗସିପ ଅଭିଯାନ ଜରିଆରେ ତ୍ୱରାନ୍ୱିତ ହେଉଥିବା ୭୫ଟି ପ୍ରକଳ୍ପକୁ ନେଇ ଏକ କଫି ଟେବୁଲ ବୁକ୍ ମଧ୍ୟ ଉନ୍ମୋଚନ କରିଥିଲେ । ଲକ୍ଷ୍ନୌର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ରେ ଅଟଳ ବିହାରୀ ବାଜପେୟୀ ଚେୟାର ପ୍ରତିଷ୍ଠା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଆଗ୍ରାର ଶ୍ରୀମତୀ ବିମଳେଶଙ୍କ ସହ କଥାବାର୍ତା କାଳରେ ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଲେ ଯେ ହିତାଧିକାରୀ ବିମଳେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଗ୍ୟାସ ସିଲିଣ୍ଡର, ଶୌଚାଳୟ, ବିଜୁଳି, ପାଣି ସଂଯୋଗ ଓ ରାସନକାର୍ଡ ଇତ୍ୟାଦି ବିଭିନ୍ନ ଯୋଜନା ବଳରେ ପାଇପାରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ନେବା ସହ ବିଶେଷକରି ତାଙ୍କ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
କାନପୁର ରାମଜାନକୀ ଜୀଙ୍କ ସହ କଥାବାର୍ତା ବେଳେ ଦୁଗ୍ଧ ବିକ୍ରେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନାରେ କିଛି ସୁବିଧା ପାଇଛନ୍ତି କି ନାହିଁ ପଚାରିଥିଲେ । ହିତାଧିକାରୀ କହିଥିଲେ ଯେ ଦଶହଜାର ଟଙ୍କା ଋଣ ନେଇ ତାଙ୍କ ବ୍ୟବସାୟରେ ଲଗାଇଥିଲେ । ପ୍ରଧାନମନ୍ତ୍ରୀ ବ୍ୟବସାୟରେ ଡିଜିଟାଲ ଦେଣନେଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜନୈକା ହିତାଧିକାରୀ ଲଳିତପୁରର ଶ୍ରୀମତୀ ବବିତାଙ୍କୁ ତାଙ୍କ ଜୀବନଜୀବିକା ଓ ବିଭିନ୍ନ ଯୋଜନାର ଅଭିଜ୍ଞତା ନେଇ ପଚାରିଥିଲେ । ଶ୍ରୀ ମୋଦୀ ଜନଧନ ଯୋଜନାରେ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ପଇସା ପହଂଚଥିବା ନେଇ କହିଥିଲେ । ପ୍ରଯୁକ୍ତିବିଦ୍ୟା ଗରିବଙ୍କୁ ବେଶୀ ସାହାଯ୍ୟ କରିଛି ଓ ସେ ହିତାଧିକାରୀଙ୍କୁ ସ୍ୱାମୀତ୍ୱ ଯୋଜନାର ସୁବିଧା ସୁଯୋଗ ନେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହ ଖୁବ୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ମତବିନିମୟ କରିଥିଲେ । ଏହା ଅଣଆନୁଷ୍ଠାନିକ ଓ ସ୍ୱତଃସ୍ପୃତ ଢଙ୍ଗରେ ଚାଲିଥିଲା । ସମବେତ ଜନତାଙ୍କୁ ଉଦ୍?ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁଠି ପରିବାରର ସମସ୍ତ ସମ୍ପତି ପୁରୁଷଙ୍କ ନାମରେ ଅଛି, ସେଥିରେ ସଂଶୋଧନର ଆବଶ୍ୟକତା ରହିଛି । ଏହି ସଂଶୋଧନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶତକଡା ୮୦ଭାଗ ଘର ମହିଳା ବା ଯୁଗ୍ମ ସତ୍ୱାଧିକାରୀ ଭାବେ ପଞ୍ଜୀକରଣ କରାଯାଉଛି ବୋଲି କହିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ଭଳି ଜାତୀୟ ଦିବ୍ୟଦ୍ରଷ୍ଟା ଓ ଭାରତ ମାତା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ବ୍ୟକ୍ତିଙ୍କୁ ପ୍ରତିନିଧିଭାବେ ପଠାଇ ଥିବାରୁ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତାଙ୍କ ସ୍ମୃତିରେ ଆଜି ଲକ୍ଷ୍ନୌର ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଅଟଳ ବିହାରୀ ବାଜପେୟୀ ଚେୟାର ପ୍ରତିଷ୍ଠା କରାଯାଉଥିବା ସେ ଘୋଷଣା କରିଥିଲେ । ଆଗ ଅପେକ୍ଷା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରବଳ ବୃଦ୍ଧି ପାଇଥିବା ସଂଖ୍ୟା ଉପରେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସହରରେ ୧.୧୩କୋଟିରୁ ଅଧିକ ଆବାସ ତିଆରି ହୋଇଥିବାବେଳେ, ସେଥିରୁ ୫୦ଲକ୍ଷ ଗରିବ ଲୋକମାନଙ୍କୁ ଦିଆଯାଇଛି । ତିନିକୋଟି ସହରଂଚଳର ସହର ତଳି ଅଂଚଳରେ ପକ୍କା ଛାତ ନ ଥିବା ପରିବାର ଲକ୍ଷପତି ବନିଯିବାର ସୁଯୋଗ ପାଇଛନ୍ତି । “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନିକୋଟି ଘର ଦେଶରେ ନିର୍ମିତ ହୋଇଛି, ସେଥିରୁ ତା’ର ଖର୍ଚ୍ଚ ପରିମାଣ ଆପଣ ଅନୁମାନ କରିପାରୁଥିବେ ।” ସେହି ଲୋକମାନେ ଏବେ ଲକ୍ଷପ୍ରତି ବନିଯାଉଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି । ଉତରପ୍ରଦେଶରେ ପୂର୍ବ ସରକାରମାନେ ଯୋଜନା ଅଧୀନରେ ୧୮ହଜାର ଘର ତିଆରି ହୋଇଥିବା କହି ବାହାବା ନେଉଥିଲେ, ହେଲେ ୧୮ଟି ଘର ମଧ୍ୟ ସେତେବେଳେ ନିର୍ମିତ ହୋଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତମାନର ଯୋଗୀ ଆଦିତ୍ୟନାଥଙ୍କ ସରକାର କ୍ଷମତାସୀନ ହେବାପରେ ନଅ ଲକ୍ଷ ଘର ସହରାଂଚଳଚଳ ଗରିବ ଲୋକଙ୍କୁ ଦିଆଯାଇଛି ଓ ୧୪ଲକ୍ଷ ଆବାସ ଆଧୁନିକ ସୁବିଧା ସହ ନିର୍ମାଣଧୀନ ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସହରାଂଚଳ ମଧ୍ୟବିତଙ୍କ ସମସ୍ୟାର ସମାଧାନ ନିମନ୍ତେ ଖୁବ୍ ଯତ୍ନଶୀଳ । ଏ ଦିଗରେ ରିୟେଲ ଇଷ୍ଟେଟ ନିୟନ୍ତ୍ରଣ ପ୍ରାଧିକରଣ ଏକ ପ୍ରଧାନ ପଦକ୍ଷେପ । ଏହି ଆଇନ ସମୁଦାୟ ଗୃହ ନିର୍ମାଣ କ୍ଷେତ୍ରକୁ ଜାଲିଆତି ଓ ଧୋକାବାଦିରୁ ବଂଚାଇବା ସହ ଘର କ୍ରେତାଙ୍କୁ ସଶକ୍ତ କରିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସହରାଂଚଳଳ ସ୍ୱାୟତଶାସନ ସଂସ୍ଥାଗୁଡିକ ରାସ୍ତାରେ ଏଲ୍ଇଡି ବତୀ ବ୍ୟବହାର କରି ବାର୍ଷିକ ହଜାର କୋଟି ଟଙ୍କା ବଂଚାଉଛନ୍ତି । ବର୍ତମାନ ଏହି ବଳକା ଅର୍ଥ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ବ୍ୟୟ ହେଉଛି । ସହରରେ ଏଲଇଡି ବିଦ୍ୟୁତବିଲ୍ କମ୍ କରିବାରେ ମଧ୍ୟ ସହାୟକ ହୋଇଛି ବୋଲି ସେ କହିଥିଲେ । ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଗତ ୬-୭ବର୍ଷ ମଧ୍ୟରେ ସହରୀ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଯୁକ୍ତିବିଦ୍ୟା ସମନ୍ୱିତ କମାଣ୍ଡ ଓ ନିରନ୍ତ୍ରଣ କେନ୍ଦ୍ର ଭାବେ ଆଜି ଦେଶର ୭୦ଟିରୁ ଅଧିକ ସହରରେ କାର୍ଯ୍ୟ କରୁଛି । ଆଜି ଆମକୁ ‘ପହଲେ ଆପ୍-ଟେକ୍ନୋଲୋଜି ଫାଷ୍ଟ’ କହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାସ୍ତାକଡ ବିକାଳିମାନେ ସ୍ୱନିଧି ଯୋଜନା ଅଧୀନରେ ବ୍ୟାଙ୍କ ସହ ଯୋଡି ହୋଇଛନ୍ତି । ଏହି ଯୋଜନା ଅଧୀନରେ ୨୫ଲକ୍ଷ ହିତାଧିକାରୀଙ୍କୁ ୨୫୦୦କୋଟି ଟଙ୍କା ଦିଆଯାଇଛି । କେବଳ ଉତର ପ୍ରଦେଶର ସାତଲକ୍ଷ ହିତାଧିକାରୀ ସ୍ୱନିଧି ଯୋଜନା ଯୋଗୁଁ ଉପକୃତ ହୋଇଛନ୍ତି । ଡିଜିଟାଲ ନେଣଦେଣ ଲାଗି ସେ ବିକ୍ରେତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିକାଲି ମେଟ୍ରୋ ସେବା ଦେଶର ପ୍ରମୁଖ ନଗରୀଗୁଡିକରେ ଦୃତଗତିରେ ବୃଦ୍ଧି ପାଉଛି । ୨୦୧୪ମସିହାରେ ମେଟ୍ରୋସେବା ୨୫୦କିଲୋମିଟରରୁ କମ୍ ରାସ୍ତାରେ ଉପଲବ୍ଧ ହେଉଥିବାବେଳେ, ଏହା ଆଜି ୭୫୦କିଲୋମିଟରକୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ଏକହଜାର କିଲୋମିଟରରୁ ଅଧିକ ମେଟ୍ରୋ ଟ୍ରାକ୍ ପାଇଁ କାର୍ଯ୍ୟ ଚାଲିଛି ।
