ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ଗିରଫ
ଲାହୋର : ବେଆଇନ ମଦ କାରବାର ଅଭିଯୋଗରେ ଗିରଫ ତିନିଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ଅଛନ୍ତି। ତାଙ୍କୁ କେବଳ “ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ମୁକ୍ତ କରାଯିବ” ବୋଲି ପାକିସ୍ତାନ ପୋଲିସ କହିଛି। ବୁଶ୍ରା ବିବୁଙ୍କ ପୁଅ ମୁସା ମାନେକା ଏବଂ ତାଙ୍କର ଦୁଇ ବନ୍ଧୁଙ୍କୁ ଗାଡଫି ଷ୍ଟାଡିୟମ ନିକଟରୁ ପୋଲିସ ଗିରଫ କରିଥିଲା।
ପାକିସ୍ତାନର ପ୍ରଥମ ମହିଳା ବୁଶ୍ରା ବିବୁଙ୍କ ପୂର୍ବ ପତିଙ୍କ ଠାରୁ ଜନ୍ମିତ ପୁଅ ମୁସା ମାନେକା ସମେତ ତିନିଜଣ ଯୁବକଙ୍କୁ ସୋମବାର ପାକିସ୍ତାନ ପୋଲିସ ଗିରଫ କରିଥିଲା। କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ସେହି ଦିନ ସେମାନଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ବ୍ୟକ୍ତିଗତ ଗ୍ୟାରେଣ୍ଟିରେ ସେମାନଙ୍କୁ ଛଡା ଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ମୁସା ମାନେକା ଓ ତାଙ୍କ ସାଥୀମାନେ ନିଶାଶକ୍ତ ଅବସ୍ଥାରେ ସୁରକ୍ଷା କର୍ମୀଙ୍କୁ ଧମକ ଦେଇଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପଞ୍ଜାବ ପୋଲିସ ନିକଟକୁ ଘନ ଘନ କଲ୍ ଆସିଥିଲା। ଫଳରେ ପୋଲିସ ଆଉ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ଏବଂ କିଛି ଘଣ୍ଟା ଅଟକ ରଖିବା ପରେ ସେମାନଙ୍କୁ ପୋଲିସ ମୁକ୍ତ କରିଥିଲା ବୋଲି ସେ କହିଛନ୍ତି।
ସୂଚନା ଯେ, ମୁସଲମାନ ବହୁଳ ପାକିସ୍ତାନରେ ମଦ୍ୟପାନ ବିକ୍ରୟ ତଥା ବ୍ୟବହାର ବେଆଇନ। କିଛି ଦିନ ହେବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରିବାରରେ ସବୁ ଠିକ୍ ନାହିଁ। ପିଏମ୍ ଇମ୍ରାନଙ୍କୁ ତାଙ୍କ ପତ୍ନୀ ବୁଶ୍ରା ବିବୁ ଛାଡପତ୍ର ଦେବା ନେଇ ଚର୍ଚ୍ଚା ଚାଲୁଛି। କିନ୍ତୁ ବୁଶ୍ରାଙ୍କ ବାନ୍ଧବୀ ଏହି ଖବରକୁ ଖଣ୍ଡନ କରିଛନ୍ତି।
