୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୫ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଐତିହାସିକ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। କରୋନା ଭାଇରସ ସଂକ୍ରମକୁ ଦୃଷ୍ଟିରେ ଲାଲକିଲ୍ଲାକୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ୧୫୦୦ ଅତିଥି ଯୋଗଦେଇଛନ୍ତି । କାର୍ଯ୍ୟକ୍ରମରେ କୋଭିଡ-୧୯ ନିୟମକୁ ପାଳନ କରାଯାଉଛି । ଲାଲକିଲ୍ଲା ଠାରୁ ୯ କିଲୋମିଟର ଦୂର ପର୍ଯ୍ୟନ୍ତ ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଲାଲକିଲ୍ଲାରେ ଏଥର ବାୟୁସେନାର ଏମଆଇ-୧୭ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି କରାଯାଇଥିଲା । ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ଲାଲକିଲ୍ଲାକୁ ଭଲ ଭାବରେ ନୀରିକ୍ଷଣ କରିଥିଲେ । ଲାଲକିଲ୍ଲାରେ ମୋଦୀ ପହଂଚିବା ପରେ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ ରାଜଘାଟ ପହଂଚିଥିଲେ । ସେଠାରେ ସେ ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇଥିଲେ । ମୋଦୀ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଆଜାଦ୍ କା ଅମୃତ ମହୋତ୍ସବ’ ଏହି ବର୍ଷ ଦେଶବାସୀଙ୍କୁ ନୂଆ ଶକ୍ତି ଏବଂ ନବଚେତନା ସୃଷ୍ଟି କରୁ ବୋଲି କହିଛନ୍ତି ।
'Sabka Saath, Sabka Vikas, Sabka Vishwas and Sabka Prayaas' is very important for the achievement of all our goals: Prime Minister Narendra Modi
— ANI (@ANI) August 15, 2021
(Photo source: DD News) pic.twitter.com/Oi1x3fbVA7
ପତାକା ଉତ୍ତୋଳନ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ। ସ୍ୱାଧୀନତା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ବଳିଦାନ ପାଇଁ ବୀର ମହାପୁରୁଷଙ୍କୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିବା ଦେଖାଯାଇଛି । ପ୍ରଥମେ ସେ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିଙ୍କୁ ପ୍ରଶଂସା କରିବା ସହ ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥିଲେ । କରୋନା ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟିକା ପାଇବା ପାଇଁ ସମସ୍ତେ ଚିନ୍ତିତ ଥିଲେ । ଆମେ କିପରି ବିପୁଳ ଜନସଂଖ୍ୟାକୁ ଟିକା ଦେବାରେ ସଫଳ ହେବୁ? ସେ ପ୍ରଶ୍ନ ସମସ୍ତଙ୍କ ମନରେ ଥିଲା । କିନ୍ତୁ ବର୍ତ୍ତମାନ, ଆମେ ଦୁନିଆର ସବୁଠୁ ବଡ ଟିକାକରଣ ଅଭିଯାନ ଚଳାଇଛୁ । ଭାରତରେ ଏପର୍ଯ୍ୟନ୍ତ ୫୪ କୋଟି ଟିକାକରଣ କରାଯାଇଛି। କରୋନା ସମୟରେ, ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ପରିମଳ କର୍ମଚାରୀ, ବୈଜ୍ଞାନିକ ଯେଉଁମାନେ ଟିକା ତିଆରି କରୁଥିଲେ ଏବଂ ଲୋକଙ୍କ ଚିକିତ୍ସା କରି ସେମାନଙ୍କ ଜୀବନ ବଞ୍ଚାଉଥିଲେ, ସେମାନେ ସମସ୍ତେ ଆମର ପ୍ରଶଂସା ପାଇବାକୁ ଯୋଗ୍ୟ ।
Indians have fought this battle (COVID) with a lot of patience. We had many challenges but we worked with extraordinary pace in every area. It's a result of strength of our industrialists & scientists, that today India doesn't need to depend on any other nation for vaccines: PM pic.twitter.com/BI8H60fZBI
— ANI (@ANI) August 15, 2021
ସେହିପରି ସ୍ୱାଧୀନତା ପାଇଁ ଦେଶ ଦୀର୍ଘ ଦିନ ପର୍ଯ୍ୟନ୍ତ ଲଢ଼େଇ କରିଛି । ଆମେ ସ୍ୱାଧୀନତାର ଉତ୍ସାହ ପାଳନ କରୁଛେ ସତ, କିନ୍ତୁ ଆଜି ବି ଛାତିକୁ ବିଭାଜନର କଷ୍ଟ ଦେଉଛି । ଗତକାଲି ଦେଶ ନିଷ୍ପତ୍ତି ନେଇଛି ଯେ, ଏଣିକି ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ଜୀ, ଦେଶର ଏକତାରେ ସ୍ୱତନ୍ତ୍ର କାମ କରିଥିବା ସର୍ଦ୍ଦାର ପଟେଲ ଏବଂ ଭାରତକୁ ଭବିଷ୍ୟତର ରାସ୍ତା ଦେଖାଇଥିବା ବାବା ସାହେବ ଆମ୍ବେଦକରଙ୍କୁ ଦେଶ ଭୁଲି ପାରିବ ନାହିଁ । ଆମର ଖେଳାଳିଙ୍କୁ ତାଳି ବଜାଇ ସ୍ୱାଗତ କରିବା । ଭାରତୀୟ ଖେଳ, ଖେଳାଳି ଏବଂ ଯୁବପିଢ଼ିଙ୍କୁ ସମ୍ମାନ ଜଣାଇବା । ଭାରତର ଗୌରବ ବଢ଼ାଇଥିବା ଖେଳାଳିଙ୍କୁ ସମ୍ମାନ କରିବା ବୋଲି ମୋଦୀ କହିଛନ୍ତି । କରୋନା କାଳରେ ଆମର ସ୍ୱାସ୍ଥ୍ୟ କର୍ମଚାରୀମାନେ ସ୍ମରଣୀୟ କାମ କରିଛନ୍ତି । ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସଫେଇ କର୍ମ, ଟିକା ଉତ୍ପାଦନକାରୀ କଂପାନୀ, ବୈଜ୍ଞାନିକଙ୍କ ସେବା ଭୁଲି ହେବ ନାହିଁ ।
