ବାଲିଆପାଳ ସ୍ୱାଭିମାନୀ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ବାଲିଆପାଳ : ବାଲିଆପାଳ ସ୍ୱାଭିମାନୀ ମଞ୍ଚ ପକ୍ଷରୁ ବାଲିଆପାଳର ସ୍ୱାଭିମାନ ପାଇଁ ଆନ୍ଦୋଳନର ଶୁଭାମ୍ଭର ସୂଚନା ମିଳିଛି । ବାଲିଆପାଳ ମାଟିକୁ ସରସ ସୁନ୍ଦର କରିବା ପାଇଁ ପର୍ଯ୍ୟାୟ କ୍ରମେ ମହାତ୍ମା ଗାନ୍ଧୀ ଓ ସୁବାସ ବୋଷଙ୍କ ମାର୍ଗରେ ଆନ୍ଦୋଳନ କରାଯିବାର ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଞ୍ଚର ଆବାହକ ସତ୍ୟକାମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳର ହକ ଓ ସ୍ୱାଭିମାନ ପାଇଁ ୬ଦଫା ସମ୍ବଳିତ ଦାବି ଯଥା ସରକାରଙ୍କ ଦ୍ୱାରା ବିକ୍ରି କରିଦିଆଯାଇଥିବା ଶ୍ରୀଗୋପୀନଥ ସୂତାକଳ ତୁରନ୍ତ କାର୍ଯ୍ୟକ୍ଷମ କରିବା, ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀକୁ ବାଲିଆପାଳ-ବସ୍ତା ନାମରେ ନାମିତ କରିବା, ବିଶ୍ୱର ଅଦ୍ୱିତୀୟ ଆକର୍ଷଣୀୟ ଡଗରା ବେଳାଭୂମିର ସର୍ବାଙ୍ଗୀନ ବିକାଶ କରାଯାଇ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟାପ୍ତ ଆତ୍ମା ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା, ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ବଲିଆପଳରେ ବୈଷୟିକ ଶିକ୍ଷାନୁଷ୍ଠାନ ଯଥା ଆଇଆଇଟି, ଇଞ୍ଜିନିୟରିଂ କଲେଜ ଖୋଲିବା, ବାଲିଆପାଳକୁ ଏନ୍ଏସିର ମାନ୍ୟତା ଦିଆଯିବା, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଖୁବ୍ଶୀଘ୍ର ନିର୍ମାଣ କରିବାକୁ ଦାବି କରାଯାଇଥିଲା । ଉକ୍ତ ଦାବିକୁ ଜିଲାପାଳ, ତହସିଲଦାରଙ୍କ ସହିତ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଅବଗତ କରିବାର ୭ଦିନ ମଧ୍ୟରେ ଏହାର କୌଣସି ପଦକ୍ଷେପ ସରକାର ନନେଲେ ମହାତ୍ମାଗାନ୍ଧୀଙ୍କ ଅହିଂସା ପଥରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚର ସଦସ୍ୟ ରାଧାକୃଷ୍ଣ ଦାସ ମହାପାତ୍ର, ରାମଚନ୍ଦ୍ର ରାଉତ, ସଦାଶିବ ସେଠୀ, ଭକ୍ତରଞ୍ଜନ କର, ବାଲିଆପାଳ ଶିକ୍ଷିତ ବେକାର ଯୁବକ ମଞ୍ଚର ଆବାହକ ଦେବାଶିଷ ପାତ୍ର, ମନୋଜ କୁମାର ଜେନା, ଶ୍ରୀକ୍ଷେତ୍ର ଖାଦ୍ୟ ସଙ୍ଘର ସଭାପତି ହରିହର ପ୍ରଧାନ, ବାଲିଆପାଳ ଡ୍ରାଇଭର ସଂଘର ସଂଯୋଜକ ଜୟନାରାୟଣ ଗଙ୍ଗାଇ, ରୟତ ଖାଁ, ଧ୍ରୁବ ପରିଡ଼ା ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଚେତାବନୀ ଦେଇଛନ୍ତି ।
