ମିନାକ୍ଷୀ ମନ୍ଦିର ଦର୍ଶନ କଲେ ରାଷ୍ଟ୍ରପତି
ଚେନ୍ନାଇ : ପ୍ରଥମ ଥର ପାଇଁ ତାମିଲନାଡୁ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ସୁନ୍ଦରେଶ୍ବର ମନ୍ଦିରରେ ଦର୍ଶନ କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ତାମିଲନାଡୁ ଗସ୍ତ ।
ମଦୁରାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପ୍ରୋଟୋକଲ ଅନୁସାରେ, ରାଜ୍ୟପାଳ ଟି.ଏନ ରବି, ସରକାରଙ୍କ ପ୍ରତିନିଧି ଭାବେ ରାଜ୍ୟ ଆଟି ମନ୍ତ୍ରୀ ଟି.ଏମ ଥଙ୍ଗରାଜ ପ୍ରମୁଖ ସ୍ବାଗତ କରିଥିଲେ । ପରେ ତାଙ୍କ କାରକେଡ ମିନାକ୍ଷୀ ମନ୍ଦିର ଅଭିମୁଖେ ବାହାରିଥିଲା । ମନ୍ଦିରରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସାଧାରଣ ଦର୍ଶନ ସାମୟିକ ଭାବେ ବନ୍ଦ ରଖାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସେହିପରି ସହରରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ଓ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ ।
ସେ ମନ୍ଦିରରେ ସମସ୍ତଙ୍କ ପାଇଁ ଶାନ୍ତି ସମୃଦ୍ଧି ପ୍ରାର୍ଥନା କରିଛନ୍ତି ବୋଲି ରାଷ୍ଟ୍ରପତି ଭବନ କହିଛି । ଏହା ସହ ମନ୍ଦିର ପରିଦର୍ଶନ ସମୟର ଏକାଧିକ ଫଟୋ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ସେୟାର କରାଯାଇଛି । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ମଦୁରାଇ ସହରବାସୀଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
