କୋଭିଡ୍ ସଂକ୍ରମଣ ରୋକିବା ନିମନ୍ତେ ପ୍ରସ୍ତୁତି, ୨୭ରେ ସମସ୍ତ ହସ୍ପିଟାଲ୍ରେ ମକ୍ ଡ୍ରିଲ୍
ନୂଆଦିଲ୍ଲୀ : ଚଳିତ ମାସରେ ଚୀନ୍ରେ କୋଭିଡ୍-୧୯ ସଂକ୍ରମଣ ବ୍ୟାପକ ହେବାରୁ ଭାରତ ସତର୍କତା ଅବଲମ୍ବନ ନିମନ୍ତେ ଆଗଭର ହୋଇଛି। ରକାର କୋଭିଡ୍ ସଂକ୍ରମଣ ରୋକିବା ନିମନ୍ତେ ପ୍ରସ୍ତୁତି ଜୋରଦାର୍ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ହସ୍ପିଟାଲ୍ରେ ଜରୁରୀକାଳୀନ ଭାବେ ଆସନ୍ତା ୨୭ ଡିସେମ୍ୱରରେ ମକ୍ ଡ୍ରିଲ୍ର ଆୟୋଜନ କରାଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ଏଥିରେ ସରକାରୀ ଏବଂ ବେସରକାରୀ ସମସ୍ତ ପ୍ରକାରର ହସ୍ପିଟାଲ୍ ସାମିଲ୍ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କୋଭିଡ୍ ସ୍ଥିତିର ସମୀକ୍ଷା ପରେ ଏହି ନିର୍ଣ୍ଣୟ ନିଆଯାଇଛି । ଯେଉଁଥିରେ କେନ୍ଦ୍ର, ରାଜ୍ୟ ମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡର୍, ଅକ୍ସିଜେନ୍ ଉତ୍ପାଦନ ଯନ୍ତ୍ର, ଭେଣ୍ଟିଲେଟର୍ ଏବଂ ହସ୍ପିଟାଲ୍ରେ ଅନ୍ୟ ଜରୁରୀ ସୁବିଧାର ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ।କୋଭିଡ୍ ୧୯ ପାଇଁ ସତର୍କ ରହିବା ସହ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ମକ୍ ଡ୍ରିଲ୍ ଉପରେ ଚର୍ଚ୍ଚା ହୋଇଥିଲା । ଏହି ମକ୍ଡ୍ରିଲ୍ରେ ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶାରିରୀକ ଭାବେ ଯାଞ୍ଚ କରିବେ । ଆପତଃ କାଳୀନ ସ୍ଥିତିରେ ଆଇସିୟୁ ସୁବିଧା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ।
