ସର୍ବସାଧାରଣ ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ
ପୁରୀ : ସରିଲା ପୁରୀବାସୀଙ୍କ ନିମନ୍ତେ ହୋଇଥିବା ସ୍ୱତନ୍ତ୍ର ଜଗା ଦର୍ଶନ ବ୍ୟବସ୍ଥା । ଗତ ୫ ଦିନ ମଧ୍ୟରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଏହି ଦର୍ଶନର ସୁବିଧା ସୁଯୋଗ ନେଇଛନ୍ତି। କରୋନା କଟକଣା ମଧ୍ୟରେ ଗତ ୧୬ ତାରିଖରେ ୯୩୯୮, ୧୭ରେ ୯୬୪୭, ୧୮ରେ ୧୧୫୮୫, ୧୯ରେ ୧୦୨୨୭ ଓ ଶୁକ୍ରବାର ୨୦ ତାରିଖ ଶେଷଦିନରେ ୧୦୪୨୭ ଜଣ ଦର୍ଶନ କରିଛନ୍ତି। ଶନିବାର ଓ ରବିବାର ପୁରୀରେ ସପ୍ତାହାନ୍ତ ସଟ୍ଡାଉନ୍ ଥିବାରୁ ଶ୍ରୀମନ୍ଦିରକୁ ବିଶୋଧନ କରାଯିବାର ବନ୍ଦୋବସ୍ତ ହୋଇଛି।
ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପୂର୍ବଥର ଭଳି ମରିଚିକୋଟ ଛକଠାରୁ ଶ୍ରୀନହର ପର୍ଯ୍ୟନ୍ତ ବ୍ୟାରିକେଡ୍ ଓ ସେଡ୍ ବ୍ୟବସ୍ଥା କରାଯାଉଛି। ଦର୍ଶନ ପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ମୁତାବକ, ଭକ୍ତମାନଙ୍କୁ କିଛି ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ଦର୍ଶନରେ ପୁରୀ ବାସୀ ହୁଅନ୍ତୁ ଅବା ଅନ୍ୟ ଜିଲ୍ଲାବାସୀ ସମସ୍ତଙ୍କ ପାଇଁ ୯୬ ଘଣ୍ଟା ପୂର୍ବରୁ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ନଚେତ୍ ଦୁଇଟି ଡୋଜ୍ ଟିକା ନେଇ ସାରିଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଅବଢ଼ା କିଣିବାର ସୁଯୋଗ ପାଇବେ। ମାତ୍ର ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା ଉପଲବ୍ଧ ହେବ ନାହିଁ। ଏନେଇ ପୁରୀ ଏସ୍ପି ଡ. କନୱର ବିଶାଲ ସିଂହ କହିଛନ୍ତି ଯେ, ପ୍ରଥମ ୪ ଦିନର ଦର୍ଶନକୁ ତର୍ଜମା କରାଯିବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ସମ୍ପ୍ରସାରଣ କଥା ଚିନ୍ତା କରାଯିବ। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର କହିଛନ୍ତି, ୪ ମାସ ପରେ ମହାପ୍ରଭୁ ସର୍ବସାଧାରଣଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବାକୁ ଯାଉଛନ୍ତି। ଏନେଇ ଭକ୍ତମାନେ ଉତ୍ସୁକ ହୋଇ ଅପେକ୍ଷା କରିଥିବା ବେଳେ ଶୃଙ୍ଖଳିତ ନୀତିକାନ୍ତି କରି ଭକ୍ତମାନଙ୍କୁ ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା କରାଇବା ଲାଗି ସେବାୟତମାନେ ପ୍ରସ୍ତୁତ ରହିଛନ୍ତି ।
