ଲଘୁଚାପ କ୍ଷେତ୍ରରେ ପରିଣତ ହେଉଛି ଅବପାତ; ଆସନ୍ତାକାଲି ଠାରୁ ବଢ଼ିବ ବର୍ଷା
ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜିନତ ବର୍ଷା ଏବଂ ବନ୍ୟାକୁ ନେଇ ଏକପ୍ରକାର ଆତଙ୍କ ଖେଳିଯାଇଛି । ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଘାଇ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ତେବେ ଏହି ସମୟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଅବପାତ କ୍ରମଶଃ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଉଛି । ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବରେ ମଧ୍ୟରାଜସ୍ଥାନ ଅଞ୍ଚଳରେ ସକ୍ରିୟ ରହିଛି ଏହି ଅବପାତ । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଧିରେ ଧିରେ ଆହୁରି ଦୁର୍ବଳ ହେବା ସହ ଲଘୁଚାପ କ୍ଷେତ୍ରରେ ପରିଣତ ହେବାକୁ ଯାଉଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।
ସେହିପରି ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖ ଅର୍ଥାତ ଜନ୍ମାଷ୍ଟମୀରୁ ବର୍ଷା ବଢିବ। ୧୯ ଓ ୨୦ ତାରିଖରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ସକାଳ ସାଢ଼େ ୮ଟାରୁ ୧୯ ତାରିଖ ସକାଳ ସେଢ଼ ୮ଟା ପର୍ଯ୍ୟନ୍ତ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୧୯ ଅଗଷ୍ଟ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
— Meteorological Centre, Bhubaneswar (@mcbbsr) August 16, 2022
୧୮ ରୁ ବଢିବ ବର୍ଷା ର ବିସ୍ତୃତି ୧୯ ଏବଂ ୨୦ ରେ ବଢିବ ବର୍ଷାର ପରିମାଣ
୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଯାଜପୁର, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍ ସେହିପରି ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
