ଜାନୁଆରି ପହିଲାରେ ବିଶ୍ୱଶାନ୍ତି ପାଇଁ ସମୂହ ପ୍ରାର୍ଥନା
କେନ୍ଦ୍ରାପଡ଼ା : ବିଶ୍ୱରେ ଭିନ୍ନ ଭିନ୍ନ ଉଦେଶ୍ୟରେ ଭିନ୍ନ ଭିନ୍ନ ଦିବସ ପାଳନ କରାଯାଉଛି । ତେବେ ସବୁଧର୍ମରେ ପ୍ରାର୍ଥନାର ଗୁରୁତ୍ୱ ଥିବା ସତ୍ୱେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ କରାଯାଉନାହିଁ । ଏଣୁ ପ୍ରତିବର୍ଷ ଜାନୁଆରି ପହିଲାକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବା ପାଇଁ ପ୍ରାର୍ଥନା ଦିବସ ପରିଚାଳନା ସମିତିର ସଭାପତି ପ୍ରାଖ୍ୟାତ ଆଧ୍ୟାତ୍ମିକ ଗୁରୁ ତଥା ଦିବ୍ୟ ଜୀବନ ସଙ୍ଘର ସନ୍ୟାସୀ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ନିବେଦନ କରିଛନ୍ତି । ପ୍ରତ୍ୟେକ ବର୍ଷ ଜାନୁଆରି ପହିଲାରେ ଘଣ୍ଟାଟିଏ ବିଶ୍ୱଶାନ୍ତି ପାଇଁ ନିଜ ନିଜ ଇଷ୍ଟଦେବଙ୍କ ପାଖରେ ପ୍ରାର୍ଥନା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଉଦେଶ୍ୟରେ ସେ ଗତ ୫ବର୍ଷ ଧରି ବିଭିନ୍ନ ସ୍ଥାନରେ ସମୂହ ପ୍ରାର୍ଥନାର ଆୟୋଜନ କରାଇ ଆସୁଥିବା ବେଳେ ଆସନ୍ତା ୨୦୨୩ ଜାନୁଆରି ପହିଲା ସକାଳ ୬ଟାରୁ ୭ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥନାର ଆୟୋଜନ କରାଯାଇଛି । ଏଥିସହିତ ପୁରୀ ଶ୍ରୀକ୍ଷେତ୍ରରେ ଅପରାହ୍ନ ସାଢେ ୪ଟାରୁ ଘଣ୍ଟାଟିଏ ଶରଧାବାଲିର ମୁକ୍ତାକାଶ ରଙ୍ଗମଚରେ ସମୂହ ପ୍ରାର୍ଥନାର ଆୟୋଜନ କରାଯାଇଛି । ଏହି ପ୍ରାର୍ଥନା ସଭାରେ ସମସ୍ତେ ସାମିଲ ହେବାକୁ ଶ୍ରୀମା ନିବେଦନ କରିଛନ୍ତି । ସମୂହ ପ୍ରାର୍ଥନାର ଶକ୍ତି ଢେର ଅଧିକ । ଏହା ବିଶ୍ୱର ସମସ୍ୟା ଦୂର କରିବାରେ ଈଶ୍ୱରଙ୍କ ଆଶ୍ରୀର୍ବାଦ ପ୍ରାପ୍ତ କରିବାରେ ସହାୟ ହେବ ବୋଲି ସେ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
