ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ
ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି । ଗତ ଗୁରୁବାର ପୂର୍ବତନ ଆଇଏଫଏସ ଅଭୟ ପାଠକ ହାଜର ହୋଇଥିବା ବେଳେ ଶୁକ୍ରବାର ହାଜର ହୋଇଛନ୍ତି ପ୍ରଦୀପଙ୍କ ଝିଅ ଶୃତି ପାଣିଗ୍ରାହୀ । ପାଠକ ପରିବାରରେ ଅର୍ଥ କାରବାର ନେଇ ଶୃତି ପାଣିଗ୍ରାହୀଙ୍କୁ ଜେରା କରିବ ଇଡି।
ପାଠକ ଓ ପାଣିଗ୍ରାହୀ ପରିବାର ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ଲିଙ୍କ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏନେଇ ଖୋଲତାଡ଼ ଜାରି ରହିଛି । ଜଣଙ୍କ ପରେ ଜଣଙ୍କୁ ଇଡି ଜେରା କରୁଛି । ତେବେ ଜବତ ହୋଇଥିବା ଅର୍ଥ କାରବାରର ପଛର ରାଜ କଣ ସେନେଇ ଇଡି ଅଧିକାରୀ ଛାନଭିନ କରୁଛନ୍ତି । ଇଡି ପକ୍ଷରୁ ବାରମ୍ବାର ନୋଟିସ୍ ପରେ ବି ହାଜର ହୋଇନଥିଲେ ଶୃତି ପାଣିଗ୍ରାହୀ । ଚତୁର୍ଥ ଥର ନୋଟିସ୍ ପରେ ଶ୍ରୃତି ଇଡି ଅଫିସ୍ରେ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଆର୍ଥିକ କାରବାର ନେଇ ଇଡି ପଚରାଉଚରା କରିବ । ଏହାସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ମଧ୍ୟ ଇଡି ପଚରାଉଚରା କରିବ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଝିଅ ଶୃତି ପାଣିଗ୍ରାହୀଙ୍କ ଆକାଉଣ୍ଟ ଏବଂ ତାଙ୍କ ଆକାଉଣ୍ଟରୁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା ।
