ନୀଳଗିରିରେ ଯୁବନେତାଙ୍କ ଶୁଭେଚ୍ଛା ହୋର୍ଡ଼ିଂକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ; ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ସହ ବଢୁଛି ନେତାଙ୍କ ମୁଣ୍ଡବ୍ୟଥା
ନୀଳଗିରି : କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଶସ୍ୟ ଶ୍ୟାମଳା ବଣ ପାହାଡ଼ ଘେରା ସବୁଜିମାର କ୍ଷେତ୍ର ନୀଳଗିରି । ତୃତୀୟ ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି, ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ସହ ମା’ ଭୂଧାରଚଣ୍ଡି ମନ୍ଦିର ରହିଛି । ନବ ବର୍ଷ ଅବସରରେ ଶୁଭେଚ୍ଛା ଦେବାପାଇଁ ହୋର୍ଡ଼ିଂ ଲଗାଇ ଜନସମର୍ଥନ ଓ ଭାବମୂର୍ତ୍ତି ପାଇବା ପାଇଁ ନୀଳଗିରି ତଥା ଆଖପାଖ ଅଞ୍ଚଳରେ ଗୋଟିଏ କି ଦୁଇଟି ନୁହେଁ ମାଳମାଳ ବ୍ୟାନର ଓ ହୋର୍ଡ଼ିଂ । ବଜାର ଛକରୁ ପଞ୍ଚାୟତ ଛକ ପର୍ଯ୍ୟନ୍ତ ନେତାଙ୍କ ବ୍ୟାନର ଦେଖିବାକୁ ମିଳୁଛି ।

ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ସାଧାରଣ ନିର୍ବାଚନ ପାଇଁ ବିଜେଡି, ଭାଜପା ଓ କଂଗ୍ରେସ ଦଳୀୟ ଟିକଟରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ବିଭିନ୍ନ ବର୍ଗର ଆଶାୟୀ ପ୍ରାର୍ଥୀ ସର୍ବସାଧାରଣରେ ଜନସମର୍ଥନ ପାଇବାକୁ ଲକ୍ଷ୍ୟ ରଖି ନବବର୍ଷ ଅବସରରେ ଶୁଭେଚ୍ଛା ଦେବାରେ ହୋର୍ଡ଼ିଂ ଲଗାଇ ଜନସମର୍ଥନ ଓ ଭାବମୂର୍ତ୍ତି ପାଇବା ହୋଇଛି ସାହାରା । ଯୁଆଡ଼େ ଚାହିଁବ ସେଠି ନେତାଙ୍କ ବ୍ୟାନର । କେଉଁଠି ବିଧାୟକ ତ ଆଉ କେଉଁଠି ପୂର୍ବତନ ବିଧାୟକ । ଆଉ କେଉଁଠି ଆଶାୟୀ ପ୍ରାର୍ଥୀଙ୍କର ।

ଏହାକୁ ଦେଖିଲେ ଲାଗୁଛି ଯେମିତି ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି । ଆଶାୟୀଙ୍କ ସଂଖ୍ୟା ବଢ଼ିବା ସହିତ ନୂଆ ନୂଆ ଯୁବ ନେତାଙ୍କ ହୋର୍ଡ଼ିଂକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହେବା ସହ ସ୍ଥାନୀୟ ନେତାଙ୍କର ମୁଣ୍ଡବ୍ୟଥା ଆରମ୍ଭ ହେଲାଣି । କାରଣ କର୍ମୀ କାହାକୁ ସମର୍ଥନ ଦେବେ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ବାଜି ମାରିନିଅନ୍ତି ତେବେ ରଣକୌଶଳ କ’ଣ ହେବ ସେନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି?
