ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜିଛି : ବିଜେପି
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି ଶାସକ ଦଳର ଦୌରାତ୍ମ୍ୟ ସେତିକି ବଢ଼ିଚାଲିଛି । ପୋଲିସ ପ୍ରଶାସନ ଓ ସରକାରୀ କଳକୁ ବ୍ୟବହାର କରି ଭୋଟରଙ୍କୁ ଟଙ୍କା ବାଂଟିବାରେ ବାରମ୍ବାର ଏସ୍ଏଚ୍ଜି ମହିଳାମାନଙ୍କୁ ଅସ୍ତ୍ର କରିଛି ବିଜୁ ଜନତା ଦଳ । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିସ ଅପରାଧିଙ୍କୁ ଖସାଇ ଦେଇ ନିଜେ ରକ୍ଷକ ହୋଇ ଭକ୍ଷକ ସାଜିଛି । ପୋଲିସର କାର୍ଯ୍ୟକୁ ଜନସାଧାରଣ କରୁଥିଲାବେଳେ ପୋଲିସ ସରକାରୀ ଦଳର ହାତବାରିସି ହୋଇ ହାତବାନ୍ଧି ବସିଛି । ଧାମନଗରରେ ପୋଲିସକୁ ଓଲଟା ଜଗିଛନ୍ତି ସାଧାରଣ ଜନତା । ଯାହାର ତଥ୍ୟ ପ୍ରମାଣ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ।
ଦାୟିତ୍ୱରେ ଅବହେଳା କରି ଶାସକ ଦଳକୁ ପକ୍ଷପାତିତା ଦେଖାଉଥିବା ପୋଲିସ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓଙ୍କଠାରେ ବିଜେପି ଦାବି କରିଛି । ପୁନର୍ବାର ସରକାରୀ କର୍ମଚାରୀ ଓ ପୋଲିସ ପ୍ରଶାସନ ଯଦି ଏଭଳି କାର୍ଯ୍ୟରୁ ନିବୃତ ନରୁହନ୍ତି ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରନ୍ତି ତେବେ ଆଚରଣ ବିଧି ଅନୁଯାୟୀ ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଶ୍ରୀ ମଲ୍ଲିକ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
