କୋରାପୁଟ ଗସ୍ତରେ ପୋଲିସ ଡିଜି, ଆତ୍ମସମର୍ପଣ କଲେ ୨ ମାଓବାଦୀ
କୋରାପୁଟ : ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ତାଙ୍କ ସହ ଆଇ ଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇ ଜି ଏସ ଡବ୍ଲୁ ଅନିରୁଦ୍ଧ ସିଂହ ଆସିଛନ୍ତି। ଡ଼ିଆଇଜି ଏସ ଡବ୍ଲୁ ଆର ରାଜେଶ ପଣ୍ଡିତ, କୋରାପୁଟ ଏସ୍ପି ବରୁଣ ଗୁଣ୍ଡୁପାଲିଙ୍କ ସହ ବହୁ ଵରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହି ଅବସରରେ ସେ ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିବେ। ତାପରେ ପୋଲିସ ଡିଜି କୋରାପୁଟରୁ ମାଲକାନଗିରି ଯାଇ ଯୋଡ଼ାଆମ୍ବ ଓ କାଲିମେଳା ପୁଲିସ ଷ୍ଟେସନ ଉଦଘାଟନ କରିବେ।
ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଦୁଇ କୁଖ୍ୟାତ ମହିଳା ମାଓବାଦୀ ଗୀତା ପଡିଆମି (ରଞ୍ଜିତା) ଓ ଦେବା ପଡିଆମି (ଗାଙ୍ଗି) ଆତ୍ମସମର୍ପଣ କରିଛନ୍ତି। ଜଣେ ଏସିଏମ କ୍ୟାଡର ହୋଇଥିବା ବେଳେ ଅନ୍ୟ ଜଣକ ମିଲିଟାରି ଗ୍ରୁପର ସଦସ୍ୟ ରହିଥିଲେ। ତେବେ ଗାଙ୍ଗି ୨୦୦୫ରେ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଏହାପରେ ସେ କାଲିମେଳା ଦଳମରେ ଯୋଗଦେଇଥିଲା । ସେ ପ୍ରମୁଖ ୭ ଟି ହିଂସାରେ ସମ୍ପୃକ୍ତି ଥିବା ପୋଲିସ କହିଛି । ୨୦୦୭ରେ ବନ୍ଧୁକ ଚାଳନା ତାଲିମ ନେବା ପରେ ୨୦୦୮ରୁ ମାଛକୁଣ୍ଡ ଓ ଗୁମା ଏରିଆ କମିଟିରେ କାମ କରିଥିଲା ।୨୦୨୦ ରେ ଏସିଏମକୁ ପ୍ରମୋସନ ପାଇ ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଗୁମା ଏରିଆ କମିଟିରେ କାମ କରୁଥୁଲା ।ସେ ପୋଲିସ ଫୋର୍ସ ସହ ଗୁଳିବିନିମୟ ଘଟଣାରେ ଜଡିତ ଥିଲା ବୋଲି ଡିଜିପି କହିଛନ୍ତି । ସେହିଭଳି ଛତିଶଗଡ ରାଜ୍ୟର ରଞ୍ଜିତା ୨୦୧୮ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ ମିଲିଟାରି କମିଟିର ନାଟ୍ୟ ମଣ୍ଡଳି ସଦସ୍ୟ ଭାବେ ଯୋଗଦେଇଥିଲା । ତାଙ୍କ ନାମରେ ୪ ଟି ହିଂସାକାଣ୍ଡରେ ଜଡିତ ଥିବା ସୂଚନା ରହିଛି ।ତାଙ୍କ ଘର ବିଜାପୁର ଜିଲ୍ଲା ଗାଙ୍ଗୁଲର ଥାନା ମନକିର ଗ୍ରାମ। ୨୦୧୮ରେ ମାଓ ସଙ୍ଗଠନରେ ସାମିଲ ହୋଇ ବୈପାରିଗୁଡା, ମାଛକୁଣ୍ଡ, ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଓ ଆନ୍ଧ୍ରର ପେଦାବାଇଲୁ ଏରିଆ କମିଟିରେ କାମ କରୁଥୁଲେ ।
