କବି କଳାକାର ଶୁଭାରମ୍ଭ କଲେ ତ୍ରିବେଣୀରେ ତର୍ପଣ ଓ ବାରୁଣୀ ସ୍ନାନ
ଆଦ୍ୟ ତୀର୍ଥ ତ୍ରିବେଣୀ ଘାଟରେ ଆୟୋଜିତ ହେଲା କବିତା ଆସର
ମାର୍ଚ୍ଚ ୩୦ ରେ ତ୍ରିବେଣୀ ତୀର୍ଥରେ ମହାବାରୁଣୀ ସ୍ନାନ
ବାଲେଶ୍ବର : ବାଲେଶ୍ବର ଜିଲାର ଆଦ୍ୟ ତୀର୍ଥ ଗୁପ୍ତ ପ୍ରୟାଗ ବଳଙ୍ଗ, ଗଙ୍ଗାହାର ଓ ଶୋଣ ନଦୀର ତ୍ରିବେଣୀ ସଂଗମ ସ୍ଥଳରେ ତ୍ରିବେଣୀ ତୀର୍ଥର ପ୍ରଚାର ପ୍ରସାର ଓ ବିକାଶ କରି ଆଗାମୀ ଦିନରେ କୁମ୍ଭମେଳା ଆୟୋଜନ କରିବା ଲକ୍ଷ୍ୟ ନେଇ ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦ ପ୍ରତି ବର୍ଷ ଦୋଳ ପୂର୍ଣ୍ଣିମାରୁ ବାରୁଣୀ ମେଳା ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଛନ୍ତି । ସେହିପରି ଆସନ୍ତା ମାର୍ଚ୍ଚ ୩୦ ରେ ତ୍ରିବେଣୀ ତୀର୍ଥରେ ମହାବାରୁଣୀ ସ୍ନାନ ହେବାର ଜଣାପଡିଛି ।


ଶନିବାର ସକାଳେ କବି କଳାକାରମାନେ ନିଜ ନିଜ ସ୍ଥଳରେ ରଙ୍ଗ ଖେଳିସାରି ମଧ୍ୟାହ୍ନରେ ତୀର୍ଥରେ ଏକାଠି ହୋଇ ତ୍ରିବେଣୀ ଘାଟରେ ଜଳ ତର୍ପଣ କରି ବାରୁଣୀ ସ୍ନାନ ଶୁଭାରମ୍ଭ କରିଥିଲେ। ଏହା ପରେ ଅପରାହ୍ନ ୩ ଟାରେ ଏକ କବିତା ଆସର ଆୟୋଜନ କରାଯାଇଥିଲା । ଏହି କବିତା ଆସରକୁ ତ୍ରିବେଣୀ ଭାଗବତ ପୀଠାଧୀଶ ବାବାଜୀ ଦୟାନନ୍ଦ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସୃଷ୍ଟିଧର ପରିଡ଼ା, ସଂପାଦକ, ଧ୍ଵନି ପ୍ରତିଧ୍ବନି ଯୋଗଦାନ କରି ଏହି ଆଦ୍ୟ ଓ ଅନନ୍ୟ ତୀର୍ଥର ପ୍ରଚାର ପ୍ରସାର ଓ ବିକାଶ ପାଇଁ ବାଲେଶ୍ବରର ସମସ୍ତ ଜନସାଧାରଣ ଆଗେଇ ଆସିବା ଉଚିତ ବୋଲି ମତ ରଖିଥିଲେ । କବି କରୁଣାକର ଖଟୁଆ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଓ ପରିଷଦର କାର୍ଯ୍ୟକାରୀ ସଭାପତି ଶିଳ୍ପୀ କେଶୁଦାସ ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ ପରିଷଦର ସହ ସଂପାଦକ ନିରଞ୍ଜନ ଗିରି ଧନ୍ୟବାଦ ପ୍ରଦାନ କରିଥିଲେ । ଆସରର ପ୍ରାରମ୍ଭରେ ତ୍ରିବେଣୀ ଆଧାରିତ ପ୍ରାରମ୍ଭିକ ସଂଗୀତ ଦୁଇ କୁନି ଭଉଣୀ ଶ୍ରାବଣୀ ଓ ବୈଶାଖୀ ଗାନ କରିଥିଲେ । ଏହି ଆସରରେ ଗଗନ ସେଠୀ, ପ୍ରଭାକର ସାହୁ, ପ୍ରବୀର କମିଳା, ପ୍ରଣତୀ ମହାପାତ୍ର, ନବ କୁମାର ଦାସ, ପଦ୍ମଲୋଚନ ପ୍ରଧାନ, ଗୋବିନ୍ଦ ଦଳାଇ, ପ୍ରଭାତ ଆଚାର୍ଯ୍ୟ, ମଧୁସୂଦନ ପାତ୍ର ଯୋଗଦାନ କରି ସ୍ବରଚିତ କବିତା ପାଠ କରିଥିଲେ ।
