କାଳୀପୂଜା ପାଇଁ ଉତ୍ସବ ମୁଖର ପୋଡ଼ାଶୁଳ, କୁଞ୍ଜ ଦେଖିବାକୁ ଲୋକାରଣ୍ୟ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନ ପୋଡ଼ାଶୂଳରେ କାଳିପୂଜା ମେଳା ବେଶ ଧୁମ୍ଧାମରେ ପାଳିତ ହେଉଛି । ରଙ୍ଗୀନ ଆଲୋକ ମାଳାର ସାଜସଜ୍ଜା ତୋରଣ ସାଙ୍ଗକୁ ଝଲସୁଛି ପରିବେଶ । ରୀତି, ନୀତି, ପରମ୍ପରା ଅନୁସାରେ ପୂଜା ମଣ୍ଡପରେ ପୂଜାକାର୍ଯ ସମାପିତ ହୋଇଥିଲାବେଳେ ମା’ଙ୍କୁ ଦେଖିବା ଲାଗି ଭକ୍ତଙ୍କ ଭିଡ଼ ଓ ଆଧ୍ୟାତ୍ମିକ ବାତାବରଣ ପ୍ରକମ୍ପିତ ହେଉଛି । ତେବେ ଚଳିତବର୍ଷ ଏହି ପୂଜାର ମୁଖ୍ୟ ଆକର୍ଷଣ ବଜାର ରାସ୍ତାର ଉଭୟପାର୍ଶ୍ୱରେ ନିର୍ମିତ ହୋଇଥିବା ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ କୁଞ୍ଜ ସେତୁବନ୍ଧ ପ୍ରତିଷ୍ଠା, ଭକ୍ତ ସାଲବେଗ, କଂସ ବଧ, ବକାସୁର ବଦ୍ଧ, ମଲ୍ଲ ଯୁଦ୍ଧ, ଷଣ୍ଢାସୁର ବଧ, ସହ ବିଦ୍ୟୁତ ଚାଳିତ ଭୂତକୋଠୀ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଛି ।


ଦୀର୍ଘ ୫୫ବର୍ଷ ହେବ ଏହି କଳିପୂଜା ସୁରୁଖୁରୁରେ ଅନୁଷ୍ଠିତ ହୋଇଆସୁଛି । ପୋଡ଼ାଶୂଳ କାଳୀପୂଜାର ଅନ୍ୟତମ ବିଶେଷତ୍ୱ ହେଲା ବିଭିନ୍ନ ଛୋଟବଡ଼ ବ୍ୟବସାୟୀମାନେ ବିକ୍ରିବଟା ପାଇଁ ଜିଲା ଏବଂ ଜିଲା ବାହାରୁ ଆସି ୧୨ଦିନ ପାଇଁ ଏଠାରେ ପସରା ମେଲାଇଥାନ୍ତି । ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯାତ୍ରା କମିଟି ପକ୍ଷରୁ ବିଶ୍ୱଦରବାର ଗଣନାଟ୍ୟ ଦ୍ୱାରା ଯାତ୍ରା ପରିବେଷଣ ଏବେ ଚାଲିଛି । ପୋଡ଼ାଶୁଳ କାଳିପୂଜାରେ ଦର୍ଶକଙ୍କ ଭିଡ଼, ଶାନ୍ତିଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ପାଇଁ ପୋଡ଼ାଶୋଳ ବଜାର କମିଟି ଓ କାଳି ପୂଜା କମିଟି ମିଳିତଭାବେ କାର୍ଯ୍ୟ କରୁଛନ୍ତି । କମିଟିର ସଭାପତି ଭାସ୍କର ମିଶ୍ର, ସମ୍ପାଦକ ଗୋପୀନାଥ ଶତପଥୀ, କୋଷାଧ୍ୟକ୍ଷ ରବୀନ୍ଦ୍ର ବେହେରା, ସଦସ୍ୟ ହରେକୃଷ୍ଣ ମହାକୁଡ଼, ବିକାଶ ପତି, କୈଳାସ ମହାନ୍ତି, ଅଶୋକ ଦାସ, ବିଶ୍ୱନାଥ ଦାସ, ରାଜୀବ ଦାସବାବୁ, ସିପୁ ଦାସବାବୁ, ବିନୋଦ ମହାନ୍ତି, ରାମଚନ୍ଦ୍ର ସିଂ, ଜୟନ୍ତ ବେହେରା, ବଳରାମ ବିଶ୍ୱାଳ, ମନୋଜ ଲେଙ୍କା, ସୁରେଶ ଧୀର, ଜୟନ୍ତ ସ, ଭରତ ସ ଲକ୍ଷ୍ମୀଧର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ଆସନ୍ତା ୬ ତାରିଖରେ ମେଢ଼ ଭସାଣି କରାଯିବା ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
