ଦଳୀୟ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ତାଗିଦ : ଗୃହରେ ନିୟମିତ ଉପସ୍ଥିତ ରହିବା ସହ ସମୟାନୁବର୍ତ୍ତିତା ହେବା ପାଇଁ ପରାମର୍ଶ
ନୂଆଦିଲ୍ଲୀ : ଦଳୀୟ ସାଂସଦଙ୍କୁ ଅଧିବେଶନ ସମୟରେ ଗୃହରେ ସମାନୁବର୍ତ୍ତିତା ଓ ନିୟମିତ ଉପସ୍ଥିତ ରହିବା ପାଇଁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ଉପସ୍ଥିତ ନଥିବା କିଛି ସଦସ୍ୟଙ୍କୁ ଭର୍ତ୍ସନା କରିବା ସହ ପ୍ରଧାନମନ୍ତ୍ରୀ ଚେତବାନୀ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ଏପରି ଅନୁପସ୍ଥିତ ରହିବା ପରି ଅଭିଯୋଗ ସାମ୍ନାକୁ ଆସିଲେ ବଡ ଧରଣର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପରୋକ୍ଷରେ ଇଙ୍ଗିତ ହେଇଛନ୍ତି ।
ବିଜେପିର ସଂସଦୀୟ ବୈଠକରେ ଦଳର ସାଂସଦମାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି । ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାଂସଦମାନଙ୍କୁ ନିୟମିତ ଭାବେ ସଂସଦରେ ଯୋଗଦେବା ପାଇଁ ପୂର୍ବରୁ ଅନେକ ଥର କୁହାଯାଇଛି । ଯଦି ସେ ଗୃହରେ ନିୟମିତ ନ ହୁଅନ୍ତି, ତେବେ ସମୟ ସେମାନଙ୍କୁ ପରିବର୍ତ୍ତନ କରିବାରେ ବିଳମ୍ବ କିରିବ ନାହିଁ ।ଗୃହରେ ବିଜେପି ସାଂସଦଙ୍କ ଖରାପ ଉପସ୍ଥାନ ପାଇଁ ଅତୀତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।
ନୂଆଦିଲ୍ଲୀର ଡ.ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ବିଜେପିର ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନାଡ୍ଡାଙ୍କ ସହ ଅମିତ ଶାହା, ପୀୟୁଷ ଗୋୟଲ, ଏସ.ଜୟଶଙ୍କର, ପ୍ରହ୍ଲାଦ ଯୋଶୀ, ଜିତେନ୍ଦ୍ର ସିଂଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
