ଆଜି କେଦାରନାଥ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ : ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦ୍ଘାଟନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର କେଦାରନାଥ ପରିଦର୍ଶନରେ ଯିବେ। ସେ ସେଠାରେ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିକୁ ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏକ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ। ୨୦୧୩ ବନ୍ୟାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ନଷ୍ଟ ହୋଇଯିବା ପରେ ଏହାର ପୁନର୍ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ପୁନର୍ନିର୍ମାଣ କାର୍ଯ୍ୟ ହୋଇଛି ଓ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ତଦାରଖ କରିଛନ୍ତି। ଏନେଇ କେଦାରନାଥ ମନ୍ଦିରର ଜଣେ ପୂଜକ କହିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବୁ। ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବେ। ସେ ମହା ରୁଦ୍ରାଭିଷେକ କରିବେ ଓ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିବେ। ମୋଦିଙ୍କ ଗସ୍ତ ପାଇଁ ମନ୍ଦିରକୁ ଫୁଲରେ ସଜା ଯାଇଛି।”
ଶୁକ୍ରବାର ସକାଳ ୬ଟା ୩୦ ମିନିଟ ସମୟରେ ଉତ୍ତରାଖଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଏହି ପରିଦର୍ଶନ ସମୟରେ ସରସ୍ୱତୀ ଆସ୍ଥାପଥ କାର୍ଯ୍ୟ ସମୀକ୍ଷା କରିବେ। ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ଓ ବହୁ ମୌଳିକ ଢ଼ାଞ୍ଚା ପ୍ରକଳ୍ପର ଉଦ୍ଘାଟନ କରିବେ। ସେହି ପ୍ରକଳ୍ପଗୁଡ଼ିକ ବାବଦରେ ୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୧୮୦ କୋଟି ଟଙ୍କା ସମ୍ବଳିତ ବିଭିନ୍ନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଗୁଡ଼ିକ ମଧ୍ୟରେ ସଙ୍ଗମ ଘାଟର ପୁନର୍ବିକାଶ, ପ୍ରାଥମିକ ସହାୟତା ଓ ପର୍ଯ୍ୟଟନ ସୁବିଧା କେନ୍ଦ୍ର, ପ୍ରଶାସନିକ କାର୍ଯ୍ୟାଳୟ ଓ ହସ୍ପିଟାଲ, ଦୁଇଟି ଅତିଥିଶାଳା, ଥାନା, କମାଣ୍ଡୋ ଓ କଣ୍ଟ୍ରୋଲ ସେଣ୍ଟର, ମନ୍ଦାକିନୀ ଆସ୍ଥାପଥ ପ୍ରଭୃତି ରହିଛି। ଏ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି।
