ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ମାମଲା : ଆଜି ଶୁଣାଣି କରିବେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ କାଳରେ ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ ଆଗତ ଏକ ମାମଲାର ଶୁଣାଣି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍କୋର୍ଟ ଶୁକ୍ରବାର କରିବେ। ଭବିଷ୍ୟତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ଉଲ୍ଲଂଘନ ନହେବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି।
ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବରିଷ୍ଠ ଓକିଲ ମନିନ୍ଦର ସିଂଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଆଗତ ଏକ ଯାଚିକାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବର ଫିରୋଜପୁର ଗସ୍ତକାଳରେ ସୁରକ୍ଷା ବ୍ୟବସ୍ଥାରେ ବୁଧବାର ଦିନ ଗୁରୁତର ଉଲ୍ଲଂଘନ ଘଟିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଏକ ରାଲି ସମେତ କୌଣସି କାର୍ଯ୍ୟକ୍ରମରେ ଯୋଗ ନଦେଇ ମତଦାନ ଭିତ୍ତିକ ପଞ୍ଜାବରୁ ଫେରି ଆସିଥିଲେ। ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମଣାଙ୍କ ନେତୃତ୍ୱରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଆମେ ଶୁକ୍ରବାର ଏହାକୁ ପ୍ରଥମ ଆଇଟମ୍ ଭାବରେ ତାଲିକାଭୁକ୍ତ କରିବୁ ବୋଲି କହିଥିଲେ ।
