ଚିତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ୍କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଚିତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ କୋବିଡ୍ ଟିକାକରଣ ୧୫୦ କୋଟିକୁ ଛୁଇଁ ଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂଆ ବର୍ଷର ପ୍ରଥମ ସପ୍ତାହରେ ଏହି ଐତିହାସିକ ସଫଳତା ହାସଲ କରାଯାଇଛି । ଓମିକ୍ରନ୍ ସଂକ୍ରମଣ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୧୫୦ କୋଟି ଡୋଜ୍ ପ୍ରତିଷେଧକ ଟିକାକରଣ ଲୋକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ଆରମ୍ଭରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋବିଡ୍ ଟିକାକରଣ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବୟସ୍କ ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୯୦ ଭାଗ ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ସେ କହିଛନ୍ତି, ମାତ୍ର ୫ ଦିନ ମଧ୍ୟରେ ଦେଢ଼ କୋଟି ପିଲାଙ୍କୁ କୋବିଡ୍ ପ୍ରତିଷେଧକ ଦିଆଯାଇ ପାରିଛି । ଏହି ସଫଳତା ପାଇଁ ସେ ଉଭୟ ସରକାର ଓ ଦେଶର ଜନସାଧାରଣଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି । ସେ ଦେଶର ବୈଜ୍ଞାନିକ, ପ୍ରତିଷେଧକ ଉତ୍ପାଦନକାରୀ ଓ ସ୍ୱାସ୍ଥ୍ୟ କ୍ଷେତ୍ରର କର୍ମଚାରୀମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଦେଶର ପ୍ରତ୍ୟେକ ନାଗରୀକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟର ଅଂଶସ୍ୱରୂପ ଚିତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ନୂଆ କ୍ୟାମ୍ପସ୍ ନିର୍ମାଣ କରାଯାଇଛି । ଏହି କ୍ୟାମ୍ପସ୍ ଲୋକମାନଙ୍କୁ ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇବ । ଆର୍ôଥକ ଅନାଟନ ଯୋଗୁଁ ଗରୀବ ଓ ମଧ୍ୟବିତ ବର୍ଗର ଲୋକମାନେ କର୍କଟ ରୋଗରେ ପ୍ରାଣ ହରାଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି । ଗରିବ ଲୋକମାନଙ୍କୁ ସୁସ୍ଥ ରଖିବା ପାଇଁ ସରକାର ଅହରହ ଉଦ୍ୟମ କରୁଥିବାର ଶ୍ରୀ ମୋଦୀ କହିଛନ୍ତି ।
କର୍କଟ ରୋଗର ଚିକିତ୍ସା ପାଇଁ ଔଷଧର ମୂଲ୍ୟ ଗତ କିଛି ବର୍ଷ ମଧ୍ୟରେ ଯଥେଷ୍ଟ କମ୍ କରାଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିପାଇଁ ୮ହଜାର ଜନଔଷଧୀ କେନ୍ଦ୍ର ଔଷଧପତ୍ର ଯୋଗାଉଛନ୍ତି ଓ ଅତି ଶସ୍ତାରେ ମୂଲ୍ୟରେ ଅସ୍ତ୍ରୋପ୍ରଚାର କରାଯାଉଛି । ପ୍ରାୟ ୫୦ ପ୍ରକାରର କର୍କଟ ରୋଗର ଔଷଧ ନାମମାତ୍ର ମୂଲ୍ୟରେ ମିଳୁଥିବାର ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଆୟୁଷ୍ମାନ୍ ଭାରତ ଯୋଜନା ସବୁଠୁ ଅଧିକ ଫଳପ୍ରଦ ହୋଇଛି । ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ୨ କୋଟି ୬୦ ଲକ୍ଷ ରୋଗୀ ଚିକିତ୍ସା ସେବା ପାଇଛନ୍ତି । ଆୟୁଷ୍ମାନ୍ ଭାରତ ଯୋଜନାରେ ୧୭ଲକ୍ଷରୁ ଅଧିକ କର୍କଟ ରୋଗୀ ଚିକିତ୍ସିତ ହୋଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଗୁଡ଼ିକର ଆଗୁଆ ନିଦାନ କରାଯାଇ ଚିକିତ୍ସା କରାଯାଇ ପାରୁଛି । କରୋନା ବିପକ୍ଷରେ ସଂଗ୍ରାମରେ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଡକ୍ଟର ସୁଭାଷ ସରକାର, ସାନ୍ତନୁ ଠାକୁର, ଜନ୍ ବର୍ଲା ଓ ନିଶିଥ୍ ପ୍ରମାଣିକ୍ ଉପସ୍ଥିତ ଥିଲେ ।
