ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୂର୍ବ ଉତ୍ତର ପ୍ରଦେଶରେ ପ୍ରଥମ ଏମସର ଲୋକାର୍ପଣ କରିବେ
ଗୋରଖପୁର : ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଗୋରଖପୁରବାସୀଙ୍କୁ ୧୦ ଅରବ ଟଙ୍କାର ବିଭିନ୍ନ ଉନ୍ନତିମୂଳକ ଜନହିତକର ପ୍ରକଳ୍ପର ଉପହାର ଦେବେ। ମୋଦୀ ୮,୬୦୩କୋଟି ଟଙ୍କାର ଗୋରଖପୁର ଖାଦ୍ୟ କାରଖାନା, ୧,୦୧୧ କୋଟିରେ ଗୋରଖପୁରରେ ନିର୍ମିତ ପୂର୍ବ ଉତ୍ତର ପ୍ରଦେଶର ପ୍ରଥମ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ) ଓ ୩୬ କୋଟି ଟଙ୍କାର ଆରଏମଆରସି(ରିଜୋନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର)ର ଏକ ଅତ୍ୟାଧୁନିକ ପରୀକ୍ଷାଗାର ଉଦଘାଟନ କରିବେ। ଏହା ଦ୍ୱାରା କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ବିହାର ଓ ନେପାଳର ଲୋକମାନେ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ପାଇ ପାରିବେ।
ଏନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ କହିଛନ୍ତି ପୂର୍ବରୁ କ୍ଷମତାରେ ଥିବା ସରକାରଙ୍କ ଅକର୍ମଣ୍ୟତା ଯୋଗୁଁ ଯେଉଁ ଜନ ହିତକର କାର୍ଯ୍ୟ ଅଟକି ରହିଥିଲା ତାହା ଏବେ ସଫଳ ହେବାକୁ ଯାଉଛି। ଉତ୍ତର ପ୍ରଦଶର ଦୀର୍ଘ ଦିନର ସ୍ୱପ୍ନ ସାକାର ସାକାର କରିବାକୁ ନରେନ୍ଦ୍ର ମୋଦୀ ଗୋରଖପୁର ଆସୁଛନ୍ତି। ସେହିପରି ଯାହା ବିରୋଧିମାନଙ୍କ ପାଇଁ ଅସମ୍ଭବ ଥିଲା ତାହାକୁ ମୋଦୀ ସମ୍ଭବ କରି ଦେଖାଇଛନ୍ତି। ଗୋରଖପୁରରେ ନୂଆ ଏମ୍ସ ଡାକ୍ତରଖାନା ହେବା ଦ୍ୱାରା ପୂର୍ବାଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଜନହିତକର ଯୋଜନାଗୁଡ଼ିକ ଶିଶୁ, ମହିଳା, ଯୁବକ, କୃଷକମାନଙ୍କ ସହ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି। ଯାହାକି ଏବେ ପର୍ଯ୍ୟନ୍ତ ବିରୋଧିମାନଙ୍କ ଭୋଟ୍ ବ୍ୟାଙ୍କ ଭାବେ ପରିଗଣିତ ହୁଏ।
