ଆଜି ଡବ୍ଲୁଇଏଫର ଡାଭୋସ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ)ର ଡାଭୋସ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ବୋଧନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ସନ୍ଧ୍ୟା ପ୍ରାୟ ୮.୩୦ରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ।
ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମୋଡରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଜାପାନର ପ୍ରଧାନମନ୍ତ୍ରୀ କିଶିଡା ଫୁମିଓ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଇୟୁ କମିଶନ ମୁଖ୍ୟ ଉର୍ସୁଆ ଭନ୍ ଡେର୍ ଲେଏନଙ୍କ ସମେତ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ଏକ ବିଶ୍ବସ୍ତରୀୟ ଅର୍ଥନୈତିକ ସମ୍ମିଳନୀ ହୋଇଥିବା କାରଣରୁ ଏଥିରେ ବିଶ୍ବବ୍ୟାପୀ ବରିଷ୍ଠ ଶିଳ୍ପପତି, ଆନ୍ତର୍ଜାତୀୟ ସଂଗଠନ ଏବଂ ସିଭିଲ ସୋସାଇଟି ମଧ୍ୟ ଅଂଶଗ୍ରହଣ କରିବେ । ସାମ୍ପ୍ରତିକ ସମୟରେ ବିଶ୍ୱ ସମ୍ମୁଖୀନ ହେଉଥିବା ଜଟିଳ ଆହ୍ବାନପୂର୍ଣ୍ଣ ସ୍ଥିତି ଉପରେ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ ।
