ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାର ସୁରେଶ ଚନ୍ଦ୍ର ବେହେରାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନ ଔଷଧି କେନ୍ଦ୍ରର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ କଥା ହୋଇଛନ୍ତି । ଜେନେରିକ ଔଷଧର ବ୍ୟବହାର ଏବଂ ଜନଔଷଧି ପରିଯୋଜନାର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ସାରା ଦେଶରେ ଜନ ଔଷଧି ସପ୍ତାହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘‘ଜନ ଔଷଧି – ଜନ ଉପଯୋଗୀ’’ ରଖାଯାଇଛି । ଆଜିର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ପାଟନାର ଜନ ଔଷଧି କେନ୍ଦ୍ର ହିତାଧିକାରୀ ସୁଶ୍ରୀ ହିଲଦା ଏନ୍େଥାନୀଙ୍କ ସହ କଥା ହୋଇଥିଲେ । ଜନ ଔଷଧି କେନ୍ଦ୍ରର ଔଷଧ ବିଷୟରେ ସେ କେମିତି ଜାଣିବାକୁ ପାଇଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ । ଔଷଧର ଗୁଣବତା ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ । ସମାଜର ଗରିବ, ନିମ୍ନ ମଧ୍ୟବିତ ଏବଂ ମଧ୍ୟବିତ ବର୍ଗଙ୍କ ଆର୍ôଥକ ପରିସ୍ଥିତି ଉପରେ ରୋଗ ପ୍ରଭାବ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ । ଜନ ଔଷଧି କେନ୍ଦ୍ରର ଲାଭ ବିଷୟରେ ସମାଜର ଶିକ୍ଷିତ ବର୍ଗ ଆଲୋଚନା କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଭୁବନେଶ୍ୱରର ଦିବ୍ୟାଙ୍ଗ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଜନ ଔଷଧି ପରିଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ସେ ଚାହୁଁଥିବା ସବୁତକ ଔଷଧ ଜନ ଔଷଧି କେନ୍ଦ୍ରରେ ମିଳୁଛି କି ନାହିଁ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଶ୍ରୀ ବେହେରା କହିଥିଲେ ଯେ, ତାଙ୍କର ଯେଉଁସବୁ ଔଷଧ ଦରକାର ସେସବୁ ସେ ଜନ ଔଷଧି କେନ୍ଦ୍ରରୁ ପାଇପାରୁଛନ୍ତି । ଫଳରେ ତାଙ୍କର ଔଷଧ ଖର୍ଚ୍ଚ ବାବଦକୁ ମାସିକ ୨ ହଜାରରୁ ୨୫ ଶହ ପର୍ଯ୍ୟନ୍ତ ଟଙ୍କା ସଞ୍ଚିତ ହୋଇପାରୁଛି, ସେ ନିଜ ମାତାପିତାଙ୍କ ପାଇଁ ମଧ୍ୟ ଏହି କେନ୍ଦ୍ରରୁ ଔଷଧ କିଣିଥାନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ଆରୋଗ୍ୟ ଓ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । ଶ୍ରୀ ବେହେରା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସାହସର ସହ ସମସ୍ୟାର ମୁକାବିଲା କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହୀଶୂରର ସୁଶ୍ରୀ ବବିତା ରାଓ , ସୁରଟର ସୁଶ୍ରୀ ଉର୍ବଶୀ ନୀରବ ପଟେଲ ,ରାୟପୁରର ଶୈଲେଶ ଖଣ୍ଡେଲୱାଲ ଜନ ଔଷଧି ପରିଯୋଜନା ସହ ଜଡ଼ିତ ନିଜର ଯାତ୍ରା ସମ୍ପର୍କରେ କଥା ହୋଇଥିଲେ ।
ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଔଷଧି କେନ୍ଦ୍ର କେବଳ ଶରୀର ପାଇଁ ଔଷଧ କେନ୍ଦ୍ର ହୋଇ ରହିନାହିଁ, ବରଂ ଏହା ଜନସାଧାରଣଙ୍କ ମାନସିକ ଚାପ ଦୂର କରିବାର କେନ୍ଦ୍ରରେ ପରିଣତ ହୋଇଛି । ଲୋକମାନଙ୍କ ଅର୍ଥ ସଞ୍ଚୟ କରିବା ମାଧ୍ୟମରେ ଏହି କେନ୍ଦ୍ର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଏହି ଯୋଜନାର ଲାଭ ସମାଜର ସବୁ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ୨୧ କୋଟିରୁ ଅଧିକ ସାନିଟାରୀ ନାପକିନ୍ ବିକ୍ରି ହେବା ଏହା ଦର୍ଶାଉଛି ଯେ ଜନ ଔଷଧି କେନ୍ଦ୍ରଗୁଡ଼ିକ ସାରା ଦେଶରେ ମହିଳାମାନଙ୍କ ଜୀବନକୁ ସହଜ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ସୁଦ୍ଧା ସାରା ଦେଶରେ ୮ ହଜାର ୫୦୦ ଜନ ଔଷଧି କେନ୍ଦ୍ର ଖୋଲା ଯାଇ ସାରିଛି । ଏହା କେବଳ ଆଉ ଏକ ସରକାରୀ କେନ୍ଦ୍ର ନୁହେଁ ବରଂ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାର ସ୍ଥାନ ପାଲଟିଛି । ସେ କହିଥିଲେ ଯେ କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି । ସରକାର ଷ୍ଟଣ୍ଟିଂ ଦର କମାଇବା ଲାଗି ପଦକ୍ଷେପ ନେଇଛନ୍ତି ଯାହାଫଳରେ ଆଣ୍ଠୁ ପ୍ରତିରୋପଣ ଖର୍ଚ୍ଚ ନିୟନ୍ତ୍ରଣରେ ରହିଛି । ନାଗରିକମାନଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ତଥ୍ୟ ଦେଇଥିଲେ । ସେ ସୂଚନା ଦେଇଥିଲେ ଯେ, ଏବେ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯାଇସାରିଛି । ୩ କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଇସାରିଛନ୍ତି । ଏହାଦ୍ୱାରା ଗରିବ ଓ ମଧ୍ୟବିତ ଲୋକମାନଙ୍କର ୭୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ସଂଚୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ କାର୍ଯ୍ୟକ୍ରମ ଜରିଆରେ ୫୫୦ କୋଟି ଟଙ୍କା ସଂଚୟ ହୋଇପାରିଛି । ଆଣ୍ଠୁ ପ୍ରତିରୋପଣ ଏବଂ ଔଷଧ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ୧୩ ହଜାର କୋଟି ଟଙ୍କା ସଂଚୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ କିଛି ସପ୍ତାହ ପୂର୍ବରୁ, ସରକାର ଆଉ ଏକ ନିଷ୍ପତି ନେଇଛନ୍ତି, ଯାହାକି ଗରିବ ଓ ମଧ୍ୟବିତ ପରିବାରର ପିଲାମାନଙ୍କୁ ଲାଭାନ୍ୱିତ କରିବ । ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତି ନେଇଛୁ ବୋଲି ସେ ସୂଚନା ଦେଇଥିଲେ ।
