ଫୋନ କରି ଥୋମାସ କପ୍ ବିଜେତା ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଥୋମାସ କପ୍ ଜିତି ଭାରତୀୟ ବ୍ୟାଡମିଂଟନ ଟିମ୍ ଇତିହାସ ରଚିଛି । ଦୀର୍ଘ ୭୩ ବର୍ଷର ଥୋମାସ କପ୍ ଇତିହାସରେ ଭାରତ ରବିବାର ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି । ୧୪ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଭାରତୀୟ ଟିମ୍ ନୂଆ ରେକର୍ଡ କରିଛି । ଏହି ବିଜୟ ପରେ ଭାରତୀୟ ଟିମ୍ରେ ଥିବା ସଦସ୍ୟମାନଙ୍କୁ ସମସ୍ତେ ପ୍ରଶଂସା କରି ଚାଲିଛନ୍ତି ।
ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତୀୟ ଶଟଲରମାନଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ମ୍ୟାଚ୍ ପରେ ଖେଳାଳିମାନଙ୍କୁ ମଧ୍ୟ ଫୋନ କରିଥିଲେ । ଫୋନ ଯୋଗେ ସେ ସବୁ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଫୋନ ଯୋଗେ କଥା ହେବାରୁ ଭାରତୀୟ ଖେଳାଳିଙ୍କ ଖୁସି ଆହୁରି ଦୁଇଗୁଣ ହୋଇ ଯାଇଛି । ଭାରତୀୟ ଟିମ୍କୁ କ୍ୱାର୍ଟର ଓ ସେମିରେ ଜିତାଇଥିବା ଏଚଏସ୍ ପ୍ରଣୟ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି ଫୋନ ଯୋଗେ ଖେଳାଳିମାନଙ୍କ ସହ କଥା ହୋଇଥିବା ବିଷୟରେ କହିଛନ୍ତି । ସେ କହିଛନ୍ତି, “ମୋ ସହ ଓ ଆମ ଟିମ୍ର ସବୁ ସଦସ୍ୟଙ୍କ ସହ ଫୋନ ଯୋଗେ କଥା ହୋଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପାଖରେ କୃତଜ୍ଞ । ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛି । ସେ ଆମକୁ ବ୍ୟାଡମିଂଟନ ବିଶ୍ୱକପ(ଥୋମାସ କପ୍) ଜିତିଥିବାରୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି । ଆପଣଙ୍କ ନିରବଚ୍ଛିନ୍ନ ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ ।”
