ପ୍ଲାଷ୍ଟିକରୁ ପ୍ରସ୍ତୁତ ଜ୍ୟାକେଟ ପିନ୍ଧି ସଂସଦ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ହାଲୁକା ନୀଳ ରଙ୍ଗର ଖାସ୍ ଜ୍ୟାକେଟ ପିନ୍ଧି ସଂସଦ ପହଞ୍ଚିଥିଲେ । ଏହି ଜ୍ୟାକେଟକୁ ପୂର୍ବରୁ ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରି ପ୍ରସ୍ତୁତ କରାଯାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଗତ ସୋମବାର ବାଙ୍ଗାଲୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀଙ୍କୁ ଏହି ଜ୍ୟାକେଟ ଉପହାର ସ୍ୱରୂପ ପ୍ରଦାନ କରିଥିଲା ।
‘ଇଣ୍ଡିଆ ଏନର୍ଜି ଉଇକ୍’ର ଉଦ୍ଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ର ୟୁନିଫର୍ମ ‘ଅନ୍ବଟଲଡ୍’ର ଶୁଭାରମ୍ଭ କରିବା ସହିତ ‘ଇଣ୍ଡୋର୍ ସୋଲାର୍ କୁକିଙ୍ଗ୍ ସିଷ୍ଟମ୍’ର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, ‘ଅନ୍ବଟଲଡ୍’ ଉପକ୍ରମରେ ରିସାଇକ୍ଲ୍ କରାଯିବାକୁ ଥିବା୧୦ କୋଟିରୁ ଅଧିକ ‘ପିଇଟି’ ବୋତଲ୍ ପରିବେଶ ସୁରକ୍ଷା କ୍ଷେତ୍ରରେ ସହାୟକ ହେବ।
ଶକ୍ତି ରୂପାନ୍ତରଣରେ ଭାରତର ପାରଦର୍ଶିତା ପ୍ରଦର୍ଶନ କରିବା ଥିଲା ‘ଏନର୍ଜି ଉଇକ୍’ର ଆଭିମୁଖ୍ୟ। ୧୦ କୋଟିରୁ ଅଧିକ ‘ପିଇଟି’ ବୋତଲ୍ ‘ରିସାଇକ୍ଲ୍’ କରାଯାଇ ‘ଇଣ୍ଡିଆନ୍ ଅଏଲ୍’ର କର୍ମଚାରୀ ଓ ସଶସ୍ତ୍ର ବାହିନୀ ନିମନ୍ତେ ୟୁନିଫର୍ମ ତିଆରି କରାଯିବ। ସଂଗୃହୀତ ସୂଚନା ଅନୁସାରେ ପାଣି ପିଇସାରିବା ପରେ ଉପଭୋକ୍ତାମାନେ ଫିଙ୍ଗି ଦେଉଥିବା ଖାଲି ‘ପିଇଟି’ ବୋତଲଗୁଡ଼ିକୁ ତରଳାଇ ‘ଆଇଓସି’ ସୂତା ପ୍ରସ୍ତୁତି କରିବ କିଂବା କପଡ଼ା ବୁଣିବ। ବର୍ଷକୁ ପ୍ରାୟ ୧୦୦ ନିୟୁତ ଖାଲି ‘ପିଇଟି’ ବୋତଲ୍ ସଂଗ୍ରହ କରାଯାଇ ରିସାଇକ୍ଲ୍ କରାଯିବ।
