ମୋରବିରେ ପହଞ୍ଚି ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ
ଗାନ୍ଧୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ମୋରବି ଜିଲାରେ ପହଞ୍ଚିଛନ୍ତି । ମୋଦୀ ଦୀର୍ଘ ସମୟ ଧରି ଆକାଶମାର୍ଗରୁ ଘଟଣାସ୍ଥଳର ସର୍ବେକ୍ଷଣ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ପରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ବୋଲି ମଧ୍ୟ ସୂଚନା ମିଳିଛି ।
ମୋରବି ଦେଇ ପ୍ରବାହିତ ମଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଗତ ରବିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ ଓ ଏସଡିଆରଏଫ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତୀୟ ବାୟୁସେନା ଓ ନୌସେନାର ଯବାନ, ସ୍ଥାନୀୟ ବାସିନ୍ଦା ଏହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ପରଦିନ ଅର୍ଥାତ ସୋମବାର ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରି ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କହିଛନ୍ତି। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୋରବି ଗସ୍ତରେ ରହିଛନ୍ତି।
ମୋରବିରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଠାରୁ ସେ ଆହତମାନଙ୍କୁ ଭେଟିବାକୁ ଯିବେ ବୋଲି ଜଣାପଡ଼ିଛି। ସେହିପରି ଉଦ୍ଧାରକାରୀମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଦ୍ଧାର କାର୍ଯ୍ୟରେ ନିଜର ଦକ୍ଷତା ଦେଖାଇଥିବା ଯବାନଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ। ସେପଟେ ଅଧିକାରୀମାନେ କହିଛନ୍ତି କି ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରି କହିଛନ୍ତି କି ଘଟଣାରେ ପ୍ରଭାବିତ ଲୋକଙ୍କ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ। ଏହା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉଦ୍ଧାର ଓ ସହାୟତା କାର୍ଯ୍ୟ ଯୋଗାଇ ଦିଆଯାଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଘଟଣାର ପ୍ରତିଟି ଦିଗ ଉପରେ ନିଜେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସାଂଘଓ୍ୱି, ମୁଖ୍ୟ ସଚିବ ପଙ୍କଜ କୁମାର ଓ ଗୁଜରାଟ ପୋଲିସର ମହାନିର୍ଦ୍ଦେଶକ ଆଶିଷ ଭାଟିଆଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାମିଲ ରହିଥିଲେ।
ସୂଚନା ଯେ, ଗତ ୩୦ ତାରିଖ ପରେ ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ପୀଡିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରବିରେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ। ଆହତ ଲୋକମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଥିଲା। ଦୁର୍ଘଟଣାର ଠିକ ପରେ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
