ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରେରଣାଦାୟକ ବ୍ୟକ୍ତିତ୍ୱ : ଡେନମାର୍କ ପ୍ରାଧାନମନ୍ତ୍ରୀ
New Delhi: Prime Minister Narendra Modi with Denmark's Prime Minister Mette Frederiksen during their meeting at Hyderabad House, in New Delhi, Saturday, Oct. 9, 2021. (PTI Photo/Shahbaz Khan) (PTI10_09_2021_000054B)
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଲାଗି ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ । ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସନ୍ ଶନିବାର ଏହା କହିଛନ୍ତି । ୩ ଦିବସୀୟ ଭାରତ ଗସ୍ତରେ ଆସିଥିବା ଡେନମାର୍କ ପ୍ରଧାନମନ୍ତ୍ରୀ ଶକ୍ତି, ବାଣିଜ୍ୟ ବ୍ୟବସାୟ ଓ ନିବେଶ କ୍ଷେତ୍ରରେ ଭାରତ-ଡେନମାର୍କ ନେଇ ଦ୍ୱିପାକ୍ଷିକ ସମ୍ପର୍କର ବିସ୍ତୃତ ଚର୍ଚ୍ଚା କରିବା ସହ ଭାରତ ସାଙ୍ଗରେ ଗ୍ରୀନ ଷ୍ଟ୍ରାଟେଜିକ ଆଲାଏନ୍ସକୁ ଆଗକୁ ବଢାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ପ୍ରେସ୍ ବ୍ରିଫିଙ୍ଗ ଲାଗି ମେଟେ ଫ୍ରେଡରିକସନ୍ଙ୍କୁ ସ୍ୱାଗତ କରିଥିବା ବେଳେ ସେ ଏହା କହିଛନ୍ତି ।
ଫେଡରିକସନ କହିଛନ୍ତି ଯେ ବିଶ୍ୱ ଲାଗି ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଲକ୍ଷ ନିର୍ଦ୍ଧାରିତ କରିବାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସା ଯୋଗ୍ୟ । ଦେଶର ୧୦ ଲକ୍ଷ ଘରକୁ ସ୍ୱଚ୍ଛ ପାନୀୟ ଜଳ ଓ ରିନିୱେବଲ ଏନର୍ଜୀ ଲାଗି ଅନେକ ମହତ୍ୱାକାଙକ୍ଷୀ ଯୋଜନା ହାତକୁ ନେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଏଣୁ ତାଙ୍କୁ ଯଦି ବିଶ୍ୱର ଜଣେ ପ୍ରେରଣାଦାୟକ ନେତା ବୋଲି କୁହାଯାଏ ତେବେ ଅତ୍ୟୁକ୍ତି ହେବ ନାହିଁ ବୋଲି ଡେନମାର୍କ ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଯାତ୍ରା ଲାଗି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ମୁଁ ଗର୍ବିତ ବୋଲି କହିଛନ୍ତି ଫ୍ରେଡରିକସନ । ଡେନମାର୍କକୁ ଅନ୍ତର୍ଜାତୀୟ ସୌର ମେଂଟର ସଦସ୍ୟ କରାଯାଇଥିବାରୁ ଫ୍ରେଡରିକସନ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ଭାରତ-ଡେନମାର୍କ ଭାଗିଦାରୀର ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଭାରତ ଭଳି ଡେନମାର୍କ ମଧ୍ୟ ଏକ ଗଣତାନ୍ତ୍ରିକ ଦେଶ ଓ ଅନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ଆସ୍ଥାରଖନ୍ତି । ଏଣୁ ଭାରତ-ଡେନମାର୍କ ସହଯୋଗ ହରିତ ବିକାଶ କ୍ଷେତ୍ରରେ ଏକ ବଡ଼ ଉଦାହରଣ ହେବ ବୋଲି ଫ୍ରେଡରିକସନ କହିଛନ୍ତି । ଆଜି ଆମେ ପାଣି ଓ ସବୁଜ ଇନ୍ଧନ ଉପରେ କାମ କରିବା ଲାଗି ସହମତ ହୋଇଛୁ ବୋଲି ସେ କହିଥିବା ବେଳେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ମଧ୍ୟ କାନ୍ଧକୁ କାନ୍ଧ ମିଳାଇ କାମ କରିବୁ ବୋଲି କହିଛନ୍ତି । ଭାରତ ଓ ଡେନମାର୍କ ମଧ୍ୟରେ ୪ଟି ବୁଝାମଣା ପରେ ଫ୍ରଡରିକସନ ଏହା କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମେ ଯେଉଁ ବେଗରେ ଆଗକୁ ବଢିବାକୁ ଚାହୁଁଛେ ଏଥିରେ ଡେନମାର୍କର ବିଶେଷଜ୍ଞତା ଓ ବୈଷୟିକ ଜ୍ଞାନ କୌଶଳ ସହଯୋଗୀ ହୋଇପାରିବ । ଭାରତୀୟ ଅର୍ଥବ୍ୟବସ୍ଥାରେ ହୋଇଥିବା ସୁଧାର ବିଶେଷ କରି ମେନୁଫେକ୍ଚରିଂ ସେକ୍ଟର ଲାଗି ନିଆଯାଇଥିବା ପଦକ୍ଷେପରେ ଡେନମାର୍କ ଅପାର ଅବସର ସୃଷ୍ଟି କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
