ଯୁକ୍ତ୩ ପରୀକ୍ଷା ଦେବେ ନରେନ୍ଦ୍ର ମୋଦି ଓ ମହେନ୍ଦ୍ର ସିଂହ ଧୋନି ! ଜାରି ହେଲା ଆଡମିଟ୍ କାର୍ଡ
ପାଟନା: ଯୁକ୍ତ୩ ଶେଷ ବର୍ଷର ପରୀକ୍ଷା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ବିହାର ରାଜ୍ୟପାଳ ଫଗୁ ଚୌହାନ। ବିହାରରୁ ଏଭଳି କିଛି ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ବିହାରସ୍ଥିତ ଲଳିତ ନରାୟଣ ମିଥିଳା ବିଶ୍ୱବିଦ୍ୟାଳୟର ଆଡମିଟ୍ କାର୍ଡରେ ଏହି ବ୍ୟକ୍ତିମାନଙ୍କ ଫଟୋ ଛପାଯାଇଥିବା ଅଭିଯୋଗ ହୋଇଛି। ତେବେ ଏହା ଗୋଟିଏ ନୁହଁ ଏକାଧିକ କଲେଜର ଆଡମିଟ କାର୍ଡ଼ରେ ତ୍ରୁଟି ହୋଇଛି।
ଦରଭଙ୍ଗା ସ୍ଥିତ ଲଳିତ ନରାୟଣ ମିଥିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ତିନି ତୃତୀୟ ବର୍ଷର ପରୀକ୍ଷା ହେବାକୁ ଯାଉଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଆଡମିଟ କାର୍ଡ ଜାରି କରାଯାଇଛି। କିନ୍ତୁ ବିଶ୍ୱବିଦ୍ୟାଳୟ ଅଧନସ୍ତ ମଧୁବନି, ସମସ୍ତିପୁର, ବେଗୁସରାଇର ଜିଲ୍ଲାର ଏକାଧିକ କଲେଜର ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି ପରିଲିଖିତ ହୋଇଛି। ଆଡମିଟ କାର୍ଡରେ ଛାତ୍ରଛାତ୍ରୀଙ୍କ ଫଟୋ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ଫଟୋ ଲାଗିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ପାଇଲା ପରେ ଲଳିତ ନରାୟଣ ମିଥିଳା ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ମୁସ୍ତାକ ଅହମ୍ମଦ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଛାତ୍ରଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା ସୂଚନା ମିଳିଛି। ରେଜିଷ୍ଟାର କହିଛନ୍ତି, ‘ଆଡମିଟ କାର୍ଡ଼ରେ ତ୍ରୁଟି ସମ୍ପର୍କରେ ଆମେ ସୋଲିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଲୁ। ଏହା ଏକ ସାଙ୍ଘାତିକ ଭୁଲ। ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଛାତ୍ରଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ଏହା ବ୍ୟତୀତ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି।’
ରେଜିଷ୍ଟାର ମୁସ୍ତାକ ଅହମ୍ମଦ ପୁଣି କହିଛନ୍ତି, ‘ଅନଲାଇନରେ ଆଡମିଟ କାର୍ଡ ଜାରି ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ନିଜେ ଫଟୋ ଅପଲୋଡ କରିଥିଲେ, ଯାହାକୁ ଡାଟା ସେଷ୍ଟର ପ୍ରସେସ୍ କରିଥିଲା। ସେମାନଙ୍କ ମଧ୍ୟରୁ କେହି ଏହାର ଭୁଲ ବ୍ୟବହାର କରିଛନ୍ତି। ମାମଲାରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ପାଳଙ୍କୁ ଟଣା ଯାଇଛି। ଏପରି କରିବା ଦ୍ୱାରା ବିଶ୍ୱବିଦ୍ୟାଳୟର ନାମ ବଦନାମ ହେଉଛି। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ।’
ସୂଚନା ଯେ, ବିହାରର ଶିକ୍ଷା ବିଭାଗରେ ହୋଇଥିବା ଚରମ ଅବହେଳାର ଏହା ପ୍ରଥମ ଘଟଣା ନୁହଁ। ଗତ ବର୍ଷ ମୁଜାଫରପୁରର ଏକ କଲେଜର ଆଡମିଟ୍ କାର୍ଡରେ ବଲିଉଡ ଅଭିନେତ୍ରୀ ସନି ଲିଓନୀ ଓ ଇମ୍ରାନ ହସମିଙ୍କ ନାମ ଲେଖାହୋଇଥିଲା। ତେବେ ଏହି ନାମ ପିଲାଙ୍କ ଅଭିଭାବକ ନାମ ବଦଳରେ ଲେଖାଯାଇଥିଲା। ଅଭିନନେତ୍ରୀଙ୍କୁ ମାଆ ଓ ଅଭିନେତାଙ୍କୁ ବାପା ବୋଲି ଲେଖାଯାଇଥିଲା। କିନ୍ତୁ ପ୍ରକୃତରେ ଉଭୟ ବଲିଉଡ ଷ୍ଟାର ପରସ୍ପରକୁ ବିବାହ କରିନାହାନ୍ତି।
